ନବୀନଙ୍କ ‘ମୋ ସରକାର’କୁ ଧକ୍କା; କୃଷି,ଶିକ୍ଷା,ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିରେ ପଛୁଆ

ଭୁବନେଶ୍ୱର(ପ୍ରକାଶ ସେଠୀ): ‘ଫାଇଭ-ଟି’ ଓ ‘ମୋ ସରକାର’ର ବ୍ୟାପକ ପ୍ରଚାର କରି ପ୍ରଶାସନକୁ ଲୋକଙ୍କ ଆସ୍ଥାଭାଜନ କରାଇବାକୁ ଚାହୁଁଥିବା ନବୀନ ପଟ୍ଟନାୟକ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଜାରି ୩୦ପୃଷ୍ଠାର ‘ଗୁଡ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ’ ରିପୋର୍ଟ ଓଡ଼ିଶା ସରକାରଙ୍କ ସୁଶାସନ ପାଇଁ ‘ମୋ ସରକାର’ ଓ ‘ଫାଇଭ-ଟି’ ସ୍ଲୋଗାନର ବାସ୍ତବତାକୁ ପଦାରେ ପକାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶିଳ୍ପ ଆଦି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ […]

we

we

Hemant Lenka
  • Published: Thursday, 26 December 2019
  • Updated: 26 December 2019, 10:18 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ‘ଫାଇଭ-ଟି’ ଓ ‘ମୋ ସରକାର’ର ବ୍ୟାପକ ପ୍ରଚାର କରି ପ୍ରଶାସନକୁ ଲୋକଙ୍କ ଆସ୍ଥାଭାଜନ କରାଇବାକୁ ଚାହୁଁଥିବା ନବୀନ ପଟ୍ଟନାୟକ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଜାରି ୩୦ପୃଷ୍ଠାର ‘ଗୁଡ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ’ ରିପୋର୍ଟ ଓଡ଼ିଶା ସରକାରଙ୍କ ସୁଶାସନ ପାଇଁ ‘ମୋ ସରକାର’ ଓ ‘ଫାଇଭ-ଟି’ ସ୍ଲୋଗାନର ବାସ୍ତବତାକୁ ପଦାରେ ପକାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶିଳ୍ପ ଆଦି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିଛି।

ରାଜ୍ୟ ସରକାରମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ ସମଗ୍ର ଦେଶରେ ୧୮ଟି ବଡ଼ ରାଜ୍ୟ, ୧୧ଟି ଉତ୍ତର-ପୂର୍ବାଞ୍ଚଳ ଓ ପାହାଡ଼ିଆ ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ପ୍ରଦେଶକୁ ୩ଟି ଭାଗରେ ବିଭକ୍ତ କରାଯାଇ ଏହି ଗୁଡ୍ ଗଭର୍ଣ୍ଣାନ୍ସ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ମନ୍ତ୍ରଣାଳୟ ନିକଟକୁ ଏହି ଡ୍ରାଫ୍ଟ ରିପୋର୍ଟକୁ ନଭେମ୍ବର ୬ତାରିଖରେ ପଠାଯାଇଥିଲା। ଏହାପରେ ଡିସେମ୍ବର ୨୫ତାରିଖରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି।

ଗୁଡ୍ ଗଭର୍ଣ୍ଣାନ୍ସ ରିପୋର୍ଟ ଅନୁସାରେ, ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସବୁଠୁ ପଛରେ ରହିଛି। ୧୮ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ସବୁଠୁ ତଳେ ଥିବାବେଳେ ତାମିଲନାଡୁ, ଗୁଜରାଟ,ପଞ୍ଜାବ,ମହାରାଷ୍ଟ୍ର, ହରିଆଣା ଓ ତେଲେଙ୍ଗାନା ଭଳି ରାଜ୍ୟ ଯଥାକ୍ରମେ ଶୀର୍ଷରେ ରହିଛନ୍ତି । ବିଶେଷକରି ପାନୀୟ ଜଳ ଯୋଗାଏ ଗ୍ରାମାଞ୍ଚଳକୁ ରାସ୍ତା, ବିଦ୍ୟୁତ ଯୋଗାଣ, ୨୪ଘଣ୍ଟିଆ ବିଦ୍ୟୁତ ଯୋଗାଣ ସହ ଉତ୍ପାଦନ, ଏଲପିଜି ସଂଯୋଗ ଓ ପାଇଖାନା ନିର୍ମାଣ ଆଦି ଭଳି ଭିତ୍ତିଭୂମିକୁ ଆଧାର କରି ଓଡ଼ିଶାକୁ ଏହି ସ୍ଥାନ ମିଳିଛି। ଦୀର୍ଘ ୨୦ବର୍ଷ ଧରି ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଥିବା ସତ୍ତେ୍ୱ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ସବୁଠୁ ପଛରେ ରହିଛି।

ସେହିପରି ‘କାଳିଆ’ ଯୋଜନାକୁ ସମଗ୍ର ଦେଶରେ ଏକ ଉଦାହରଣ ବୋଲି କହୁଥିବା ଓଡ଼ିଶା ସରକାର କୃଷି କ୍ଷେତ୍ରରେ ୧୮ଟି ବଡ଼ ରାଜ୍ୟ ମଧ୍ୟରେ ୧୦ତମ ସ୍ଥାନରେ ରହିଛି। ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼, ବିହାର ଭଳି ରାଜ୍ୟ ଯଥାକ୍ରମେ ଶୀର୍ଷରେ ରହିଥିବାବେଳେ ଏଥିରେ ମାଂସ ଓ ଦୁଗ୍ଧ ଉତ୍ପାଦନ, ଫସଲ ବୀମା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଓ ଖାଦ୍ୟଶସ୍ୟ ଉତ୍ପାଦନକୁ ସାମିଲ କରାଯାଇଛି। ଏସବୁ କ୍ଷେତ୍ରରେ ଲୋକଙ୍କୁ କିଭଳି ସୁଶାସନ ଓ ସୁବିଧା ମିଳୁଛି ତାକୁ ବିଚାରକୁ ନିଆଯାଇଛି।

ସେହିପରି ନ୍ୟାୟିକ ଓ ସାଧାରଣ ଲୋକଙ୍କ ସୁରକ୍ଷା ସଂକ୍ରାନ୍ତ ଇଣ୍ଡେକ୍ସରେ ଓଡ଼ିଶା ୧୩ତମ ସ୍ଥାନରେ ରହିଛି । ଶୀର୍ଷରେ କେରଳ, ଛତିଶଗଡ଼ ଓ ରାଜସ୍ଥାନ ରହିଥିବାବେଳେ ରାଜ୍ୟରେ ଅପରାଧ ସାବ୍ୟସ୍ତ ହାର, ପୁଲିସ କର୍ମଚାରୀଙ୍କ ଉପଲବ୍ଧତା ଓ ମହିଳା ପୁଲିସଙ୍କ ଅନୁପାତ, କୋର୍ଟ କେସର ସମାଧାନ ହାର, ଖାଉଟି ମାମଲାର ସମାଧାନ ହାରକୁ ବିଚାରକୁ ନିଆଯାଇ ଏହି ଇଣ୍ଡେକ୍ସ ତାଲିକା ପ୍ରସ୍ତୁତ ହୋଇଛି ।

ସେହିପରି ସାଧାରଣ ସ୍ୱାସ୍ଥ୍ୟ ଇଣ୍ଡେକ୍ସରେ ସମଗ୍ର ଦେଶର ୧୮ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୬ରେ ରହିଛି । ଯଦିଓ ବିଜେଡି ସରକାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁବିଧା ଦେଉଛନ୍ତି’ ବୋଲି କହି ବାହାବା ନେଉଛନ୍ତି ତଥାପି ଓଡ଼ିଶା ତଳଆଡ଼ୁ ତୃତୀୟରେ ରହିଛି। କେରଳ, ତାମିଲନାଡୁ,ଗୋଆ, ମହାରାଷ୍ଟ୍ର, ପଞ୍ଜାବ ଓ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଯଥାକ୍ରମେ ଶୀର୍ଷରେ ରହିଛନ୍ତି। ବିଶେଷକରି ଶିଶୁ ଓ ମାତୃ ମୃତ୍ୟୁହାର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା, ଡାକ୍ତର ଓ କର୍ମଚାରୀଙ୍କ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହି ଇଣ୍ଡେକ୍ସ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଓଡ଼ିଶା ପ୍ରାୟତଃ ସବୁଠୁ ପଛରେ ରହିଛି।

ସେହିପରି ମାନବ ସମ୍ବଳ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥାନ ୧୨ତମ ସ୍ଥାନରେ ରହିଛି। ଗୋଆ, ପଞ୍ଜାବ, ହରିଆଣା ଓ କେରଳ ଭଳି ରାଜ୍ୟ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି। ଶିକ୍ଷାର ଗୁଣାତ୍ମକ ମାନ, ଲିଙ୍ଗଗତ ଅନୁପାତରେ ଶିକ୍ଷା, ପ୍ରାଥମିକସ୍ତରର ଶିକ୍ଷା, ଦକ୍ଷତା ପ୍ରଶିକ୍ଷଣ, ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ଶିକ୍ଷା ଆଦି ଦିଗକୁ ବିଚାରକୁ ନିଆଯାଇ ଏହି ଇଣ୍ଡେକ୍ସ ପ୍ରସ୍ତୁତ ହୋଇଛି ।

ସେହିପରି ରାଜ୍ୟରେ ଶିଳ୍ପାୟନ କଥା କହୁଥିବା ନବୀନ ପଟ୍ଟନାୟକ ବାଣିଜ୍ୟ ଓ ଶିଳ୍ପାୟନ ଇଣ୍ଡେକ୍ସରେ ବି ପଛରେ ପଡ଼ିଛନ୍ତି । ସମଗ୍ର ଦେଶର ବଡ଼ ୧୮ଟି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୩ରେ ରହିଛି । ନିଜର ପଡ଼ୋଶୀ ରାଜ୍ୟ ଯଥା ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଶୀର୍ଷରେ ଥିବାବେଳେ ଓଡ଼ିଶା ବହୁ ପଛରେ ପଡ଼ିଛି । ବିଶେଷକରି ଇଜି ଅଫ ଡୁଇଙ୍ଗ ବିଜିନେସ, ଶିଳ୍ପ କାରଖାନାର ଅଭିବୃଦ୍ଧି ହାର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସ୍ଥାପନ ଆଦି ଦିଗରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରଶାସନିକ ସୁବିଧାକୁ ମଧ୍ୟ ଏହି ଇଣ୍ଡେକ୍ସରେ ବିଚାରକୁ ନିଆଯାଇଛି ।

ସେହିପରି ସାମାଜିକ କଲ୍ୟାଣ ଓ ବିକାଶ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥାନ ୬ରେ ଥିବାବେଳେ ଆର୍ଥିକ ସୁଶାସନରେ ଓଡ଼ିଶାର ସ୍ଥାନ ୯ମରେ ରହିଛି । ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ସମସ୍ତ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥାନ ହାରାହାରି ଭାବେ ୧୪ରେ ରହିଛି । ତାମିଲନାଡୁ ସର୍ବାଗ୍ରେ ଥିବାବେଳେ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ହରିଆଣା, କେରଳ, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ଆଦି ରାଜ୍ୟ ଯଥାକ୍ରମେ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos