ପୁରୀରେ ଇସ୍କନର ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସ୍ତାବ ଆମ ସଂସ୍କୃତି ଓ ପରଂପରା ବିଲୋପର ଷଡ଼ଯନ୍ତ୍ର: ବିଜୟ ମହାପାତ୍ର

bijayamohapatraଭୁବନେଶ୍ୱର: ଇସ୍କନ ପକ୍ଷରୁ ପୁରୀରେ ପୁଣି ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବାକୁ ଯୋଜନା କରାଯାଉଛି। ଏହା ପଛରେ ରହିଛି ଓଡ଼ିଶାର ଶାସ୍ତ୍ରୀୟ ବ୍ୟବସ୍ଥା, ଶାସ୍ତ୍ରୀୟ ପରଂପରା, ସଂସ୍କୃତି ଓ ଜଗନ୍ନାଥ ଧର୍ମକୁ ବିଲୋପ କରି ଦେବାର ଷଡ଼ଯନ୍ତ୍ର। ସୋମବାର ଏହି ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ନବକଳେବର ମହାବିଭ୍ରାଟ ପରେ ଆଉ ଏକ ପ୍ରଳୟଙ୍କାରୀ ମହାବିଭ୍ରାଟ ହେବାକୁ ଯାଉଛି ବୋଲି କହି ବିଜୟ ଅଭିଯୋଗ କରିଛନ୍ତି ଯେ ପୁରୀରରେ ଆଉ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ କିଛି ଲୋକ ଜାଣିଶୁଣି ଷଡ଼ଯନ୍ତ୍ର କରୁଛନ୍ତି। ଏଥିରେ କିଛି ବିଦେଶୀ ଶକ୍ତିଙ୍କ ହାତ ରହିଛି। ତା’ସହିତ ଓଡ଼ିଶାର କିଛି ଲୋକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହା ଅନୁସନ୍ଧାନ ସାପେକ୍ଷ।

ସେ କହିଛନ୍ତି, ପ୍ରଥା ଅନୁସାରେ ପୁରୀରେ ଆଉ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇପାରିବ ନାହିଁ। ଅତୀତରେ କେବେ ବି ପୁରୀରେ ଆଉ ଏକ ଜଗନ୍ନାଥ ମନ୍ଦିର କରାଯିବାର ନଜିର ନାହିଁ। ୫୦୦ ବର୍ଷ ମଧ୍ୟରେ ଏହିଭଳି ହୋଇନାହିଁ କି ଆଗକୁ ବି ହେବ ନାହିଁ। ଯେଉଁମାନେ ପୁରୀରେ ଆଉ ଏକ ଜଗନ୍ନାଥ ମନ୍ଦିର କରିବା ପାଇଁ ପରିକଳ୍ପନା କରିଛନ୍ତି, ସେମାନେ ମସ୍ତବଡ଼ ଭୁଲ୍ କରିଛନ୍ତି।

ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ ପୁରୀରେ ଇସ୍କନ ପକ୍ଷରୁ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବା ସଂପର୍କିତ ପ୍ରସ୍ତାବ ଏବେ ପିକେଡିଏ ଓ ସରକାରଙ୍କଠାରେ ପହଞ୍ଚିଛି। ସରକାର ସ୍ପଷ୍ଟ ଭାବେ ଘୋଷଣା କରିବା ଉଚିତ୍ ଯେ ପୁରୀରେ ଆଉ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦିଆଯିବ ନାହିଁ। ଯଦି ସରକାର ଏହି ମନ୍ଦିର ନିର୍ମାଣ କରିବା ପାଇଁ ଅନୁମତି ଦେଇଛନ୍ତି, ତା’ହେଲେ ତୁରନ୍ତ ପ୍ରତ୍ୟାହାର କରି ନେବା ଦରକାର।

ବିଜୟ କହିଛନ୍ତି, ଇସ୍କନର ଏହି ପ୍ରସ୍ତାବିତ ଜଗନ୍ନାଥ ମନ୍ଦିରକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ପୁରୀ ଗଜପତି, ଛତିଶା ନିଯୋଗଠାରୁ ଆରମ୍ଭ କରି ଦଳମତ ନିର୍ବିଶେଷରେ ସମସ୍ତେ ବିରୋଧ କରିବେ। ଏହି ମନ୍ଦିର ନିର୍ମାଣକୁ ସାରା ଓଡ଼ିଶା ବିରୋଧ କରିବ। ଓଡ଼ିଶାର ପ୍ରତ୍ୟେକ ପରିବାରର ଭାବାବେଗ ପୁରୀ ଜଗନ୍ନାଥ ମନ୍ଦିରର ସହିତ ଜଡ଼ିତ।

ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ବିଲୋପ କରିବା ପାଇଁ ଏଯେଉଁ ଚକ୍ରାନ୍ତ ହେଉଛି ସେଥିରେ ସରକାର ସାମିଲ ନ ହୁଅନ୍ତୁ ବୋଲି  ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜୟ। ସେ କହିଛନ୍ତି, ଏହା ଆଦୌ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ। ଏହା ଏକ ରାଜନୈତିକ ବିଚାର ବି ନୁହେଁ।

ଯଦି ଇସ୍କନ ପକ୍ଷରୁ ପ୍ରସ୍ତାବିତ ଏହି ମନ୍ଦିର ଉପରେ ସରକାର ରୋକ୍ ନ ଲଗାନ୍ତି, ତା’ହେଲେ ଓଡ଼ିଶାରେ ଏକ ଭୟାବହ ବାତାବରଣ ସୃଷ୍ଟି ହେବ ବୋଲି ସେ ଚେତେଇ ଦେଇଛନ୍ତି। ସେ କହିଛନ୍ତି, ପୁରୀରେ ଇସ୍କନ ଆଉ ଏକ ଜଗନ୍ନାଥ ମନ୍ଦିର କଲେ ଅନେକ ବିଭ୍ରାଟ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ସମାନ୍ତରାଳ ଭାବେ ସବୁ ବିଧି ହେବ। ସେମାନେ ରଥଯାତ୍ରା ବି କରିବେ। ଗୁଣ୍ଡିଚା ମନ୍ଦିର ବି ତିଆରି କରିବେ। ଏଭଳି କେବେ ହୁଏନି। ପୁରୀରେ କେବେ ବି ଏମିତି ହୋଇନି। ଏହା ପରମ୍ପରା ଓ ଶାସ୍ତ୍ର ବିରୋଧୀ। ଏସଂପର୍କରେ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ବିଶେଷଜ୍ଞ ଓ ବିଦ୍ୱାନମାନଙ୍କ ପରାମର୍ଶ ନିଆଯିବା ଉଚିତ୍।

ବିଜୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ପୁରୀରେ ଆଉ ଏକ ଜଗନ୍ନାଥ ମନ୍ଦିର ପ୍ରସ୍ତାବ ଗ୍ରହଣୀୟ ନୁହେଁ। ଜଗନ୍ନାଥ ସଂସ୍କୃତିକୁ ନେଇ ଆମର ପରିଚୟ। ସେଠାରେ ଆଉ ଏକ ଜଗନ୍ନାଥ ମନ୍ଦିର ହୋଇ ପାରିବ ନାହିଁ। ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଗ୍ରହଣୀୟ ନୁହେଁ। ମୁଁ ଭାବୁଛି ସରକାରଙ୍କ ପାଇଁ ବି ଏହା ଗ୍ରହଣୀୟ ହେବ ନାହିଁ।

ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ପୁରୀରେ ଆଉ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସ୍ତାବ କେବଳ ସେବାୟତଙ୍କ ଅବମାନନା ନୁହେଁ, ସାରା ଓଡ଼ିଶାବାସୀଙ୍କ ପ୍ରତି ଅବମାନନା। ପୁରୀରେ ଜଗନ୍ନାଥଙ୍କର କିଛି ସ୍ୱତନ୍ତ୍ର ରହିଛି। ଏଠି ଅଛି ତାଙ୍କ ଶ୍ରୀମନ୍ଦିର, ତାଙ୍କ ବଡ଼ଦାଣ୍ଡ ଓ ତାଙ୍କର ବଡ଼ ରଥ। ଏଠି ଶ୍ରୀକ୍ଷେତ୍ରଠାରୁ ଆହୁରି ବଡ଼ ମନ୍ଦିର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଇସ୍କନ ଲୋକଙ୍କ ସହିତ ଆମର ଏଠିକାର କିଛି ଲୋକ ମିଶି, ସେମାନଙ୍କଠାରୁ ପଇସା ଖାଇ ଏମିତି ଷଡ଼ଯନ୍ତ୍ର କରୁଛନ୍ତି।

ଏନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ। ସେହିପରି ଆଇନ୍, ନଗର ଉନ୍ନୟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ।

ସୂଚନାଯୋଗ୍ୟ, ଇସ୍କନ ଦ୍ୱାରା ପୁରୀରେ ୫୨ ହଜାର ବର୍ଗଫୁଟରେ ମନ୍ଦିର ନିର୍ମାଣ କରିବାକୁ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପ୍ରସ୍ତାବ ଅନୁଯାୟୀ, ଏହି ମନ୍ଦିର ଶ୍ରୀମନ୍ଦିରଠାରୁ ମାତ୍ର ଅଢ଼େଇ କିଲୋମିଟର ଦୂରରେ ହେବ। ବାଟମଙ୍ଗଳା ନିକଟରୁ ଏହା ସାଢ଼େ ଚାରି କିଲୋମିଟର ଓ ସମୁଦ୍ରଠାରୁ ୨୦୦ ମିଟର ଦୂରରେ ନିର୍ମାଣ ହେବ। ଏଥିପାଇଁ ଗତ ନଭେମ୍ବର ମାସରେ ଭୂମି ପୂଜନ ବି ସରିଛି।