ରତ୍ନଭଣ୍ଡାର ଚାବି ପାଇଁ ଓଲଟା ବାଣ ମାରି ବିଜେପିକୁ ଘାଇଲା କଲେ ବିଜୟ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରି ବିଜେପି ରାସ୍ତାକୁ ଓହ୍ଲାଇଥିବା ବେଳେ ନିଜ ଦଳ ଭିତରୁ ବାଣ ମାରିଛନ୍ତି ବିରଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜେଡି ସହ ୯ ବର୍ଷ ମେଣ୍ଟ ଶାସନରେ ଥିବା ବେଳେ ରତ୍ନ ଭଣ୍ଡାର ସୁରକ୍ଷା ବାବଦରେ କଣ କରିଛ ବୋଲି ପଚାରି ବିଜେପିକୁ ଅଡୁଆ ପରିସ୍ଥିତିରେ ପକାଇଛନ୍ତି ବିଜୟ।

ବିଜେପି ଭାଗୁଆଳି ଶାସନରେ ଆଇନ ବିଭାଗର ଦାୟିତ୍ୱ ନେଇ ବିଜେପି ଶ୍ରୀମନ୍ଦିର ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ୬ ମାସରେ ରତ୍ନଭଣ୍ଡାର ଖୋଲିବା ନିୟମ ଥିଲେ ବି ୯ ବର୍ଷରେ କେତେଥର ଏହା ଖୋଲାଯାଇଛି ବୋଲି ପ୍ରଶ୍ନ କିରଛନ୍ତି ବିଜୟ । ଅନ୍ୟକୁ କହିବା ପୂର୍ବରୁ ଭାବିଚିନ୍ତି କହିବା କଥା ବୋଲି ସେ ନିଜ ଦଳର ନେତାଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ବିଜୟଙ୍କ ପ୍ରଶ୍ନର ଜବାବ୍ ଦେଇଛନ୍ତି ସେତେବେଳେ ଆଇନମନ୍ତ୍ରୀ ଥିବା ବିଶ୍ୱଭୂଷଣ ହରିଚନ୍ଦନ। ବିଜୟଙ୍କ ଏ ବାଣ ବିଜେପିକୁ ଅଡୁଆରେ ପକାଇଥିବା ବେଳେ ମେଣ୍ଟରେ ଆଇନ ମନ୍ତ୍ରୀ ଥିବା ହରିଚନ୍ଦନ କହିଛନ୍ତି ତାଙ୍କ ସମୟରେ ସବୁଠାରୁ ଅଧିକ ସଂସ୍କାର କାର୍ଯ୍ୟକ୍ରମ ହୋଇଛି ଯାହା ଅନ୍ୟ କୌଣସି ସରକାର ସମୟରେ ହୋଇନାହିଁ।

ଅନ୍ୟପକ୍ଷରେ ଦାନ ହୁଣ୍ଡିରୁ ମିଳିଥିବା ସୁନାରୁ ସାଢେ ୪ କେଜି ସୁନାର ହିସାବ ମାଗି ଆଜି ପୁଣି ନବୀନ ସରକାରଙ୍କୁ  କାଠଗଡାକୁ ଟାଣିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ସୂଚନା ଅଧିକାର  ଆଇନରେ ମିଳିଥିବା ତଥ୍ୟ ଅନୁସାରେ ୧୯୯୩-୯୪ରୁ ଚଳିତ ବର୍ଷ ଫେବୁଆରୀ ୮ ସୁଦ୍ଧା ହୁଣ୍ଡିରୁ ୧୮ କେଜି ୨୩୧ ଗ୍ରାମ ସୁନା ମିଳଥିଲା। ତେବେ ପ୍ରଶାସନ ୧୪ କେଜି ସୁନା ଲକରରେ ରଖିଥିବାରୁ ବାକି ୪ କେଜିରୁ ଊର୍ଦ୍ଧ୍ୱ ସୁନା  ଚୋରି ହୋଇଛି କି ବୋଲି ପ୍ରଶ୍ନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।