ବିଜୁ ଜନ୍ମଶତବାର୍ଷିକୀ ପାଳନ ନେଇ ବିଜେଡିରେ ବିବାଦ

ଭୁବନେଶ୍ୱର: ବିଜୁ ଜନ୍ମ ଶତବାର୍ଷିକୀ ପାଳନକୁ ନେଇ ବିଜେଡିରେ ଦେଖା ଦେଇଛି ବିବାଦ। ଏହି ଉତ୍ସବକୁ କେବଳ ଦଳ ଭିତରେ ସୀମିତ ନ ରଖିବାକୁ ବିଜେଡି ଉପସଭାପତି ତଥା ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଦେଇଥିବା ପରାମର୍ଶକୁ ନାପସନ୍ଦ କରିଛି ବିଜେଡି।

ବିଜେଡି ଉପସଭାପତି ଦାମୋଦର ରାଉତ କହିଛନ୍ତି, “ବିଜୁ ବାବୁଙ୍କୁ କୌଣସି ଦଳ ମଧ୍ୟରେ ସୀମିତ ରଖିବା ତାଙ୍କ ପ୍ରତି ଅସମ୍ମାନ ବୋଲି ମୁଁ ମନେ କରେ। ବିଜୁ ବାବୁ ହେଉଛନ୍ତି ଜାତୀୟ ସମ୍ପତ୍ତି, ରାଜ୍ୟର ସମ୍ପତ୍ତି, ସେ କୌଣସି ଗୋଷ୍ଠୀର ନୁହଁନ୍ତି। ତେଣୁ ତାଙ୍କୁ ସୀମିତ କରାଯିବା ଉଚିତ ନୁହେଁ।”

ଦାମଙ୍କ ଯୁକ୍ତି ଯେ, ପ୍ରବାଦପୁରୁଷ ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀକୁ ଯେପରି ଦଳ ଭିତରେ ସୀମିତ ନ ରହିବ ସେଥିପାଇଁ ସେ ପାରାଦୀପରେ ଆୟୋଜନ କରୁଥିବା ଉତ୍ସବରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ସିପିଆଇଏମ୍‌ ନେତା ଶିବାଜୀ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ଏମାନେ ଆସିବା ନେଇ ସମ୍ମତ୍ତି ପ୍ରକାଶ କରିଥିବା ଦାମ କହିଛନ୍ତି।

ଏନେଇ ବିଜୁ ଜନ୍ମ ଶତବାର୍ଷିକୀ କମିଟିର ଆବାହକ ବେଦ ପ୍ରକାଶ ଅଗ୍ରୱାଲ କହିଛନ୍ତି,“ବିଜୁ ବାବୁଙ୍କୁ ଦଳ ଭିତରେ କ’ଣ ସୀମିତ ମୁଁ ବୁଝି ପାରୁନାହିଁ। ବିଜୁବାବୁଙ୍କ ଜନ୍ମକୁ ୧୦୦ ବର୍ଷ ପୂରଣ ହୋଇଛି,ତେଣୁ ଏହାକୁ ଧୁମ୍‌ଧାମରେ ପାଳନ କରାଯିବ। ଏଥିରେ ଦ୍ୱନ୍ଦ୍ୱ କ’ଣ ।”

ପାରାଦୀପ ଉତ୍ସବକୁ ଧୁମଧାମ୍‌ରେ କରିବା ପାଇଁ ସବୁ ପ୍ରସ୍ତୁତି କରିଛନ୍ତି ଦାମ। ପ୍ରଚାର ପାଇଁ ବୁଲୁଛି କଳିଙ୍ଗ ରଥ। ଅନ୍ୟପକ୍ଷରେ ଦଳ କରୁଥିବା ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବରମୁଣ୍ଡା ପଡ଼ିଆରେ ହେବ ଦଳର ଉତ୍ସବ। ଏଥିପାଇଁ ରାଜଧାନୀରେ ଛାଇଗଲାଣି ବିଜୁବାବୁଙ୍କ ବଡ଼ ବଡ଼ ହୋର୍ଡିଂ। ତେବେ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି ଦାମୋଦର । ସେ କହିଛନ୍ତି,“ମୁଁ କିଛି ଜାଣିନି କ’ଣ ହୋଇଛି। ସେ ବିଷୟରେ ମୋର ଧାରଣା ନାହିଁ। ଯେହେତୁ ପାରାଦୀପରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଛି ତେଣୁ ମୁଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବି ନାହିଁ। ସେଠି କ’ଣ କାର୍ଯ୍ୟକ୍ରମ ହୋଇଛି ମୁଁ କହିପାରୁନାହିଁ।”

ଦାମଙ୍କ ବକ୍ତବ୍ୟ ଉପରେ ନିଜ ପ୍ରତିକ୍ରିୟାରେ ବେଦ ପ୍ରକାଶ ଅଗ୍ରୱାଲ କହିଛନ୍ତି,“ମୁଁ ବିଜୁ ଜନ୍ମ ଶତବାର୍ଷିକୀ କମିଟିର ଆବାହକ ରହିଛି। ସେହି କମିଟିର ଜଣେ ସଦସ୍ୟ ରହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ସମସ୍ତକୁ ଏହି ଉତ୍ସବକୁ ଡକାଯାଇଛି। କେହି କହିପାରିବେ ନାହିଁ ଯେ ଡକାଯାଇ ନାହିଁ ବୋଲି। ସମସ୍ତଙ୍କୁ ଚିଠି କରାଯାଇଛି।”

ଏଣେ ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତଙ୍କୁ ସମର୍ଥନ କରିଛନ୍ତି ବିଜେପି ଓ କଂଗ୍ରେସ। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି,“ମୁଁ ଯେତିକି ଜାଣେ ଓଡ଼ିଶାର ଯେତେ ପ୍ରମୁଖ ନେତା ଅଛନ୍ତି ତା’ ମଧ୍ୟରୁ ଜଣେ ହେଉଛନ୍ତି ବିଜୁ ପଟ୍ଟନାୟକ। ସେହିଦୃଷ୍ଟିରୁ କିଏ କ’ଣ କରିବ ତାଙ୍କ ଦଳୀୟ ବ୍ୟାପାର। ଦଳ ତରଫରୁ ଏହାକୁ ପାଳୁଛନ୍ତି। ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ପାଳିଛନ୍ତି, ଯେଉଁଥିରେ ମୁଁ ବି ଯୋଗ ଦେଇଛି। ତେଣୁ ସେହି ଦୃଷ୍ଟିରୁ ମୁଁ ଦାମବାବୁଙ୍କ ନିମନ୍ତ୍ରଣଙ୍କୁ ସ୍ୱୀକାର କରିଛି।”

ଏନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି,“ବିଜୁ ବାବୁଙ୍କର କେବଳ ତାଙ୍କର ନୁହଁନ୍ତି। ଆମେ ପରା ତାଙ୍କ ସହ ଥିଲୁ। ଆମେ ତାଙ୍କୁ ଜାଣିଛୁ। ସେ ସବୁ ଦଳର। ତେଣୁ ଅତି ନିନ୍ଦନୀୟ କଥା। ଯେଉଁ ବିଜୁ ଜନ୍ମଶତବାର୍ଷିକୀ ଉତ୍ସବ ବିଜେଡି ପାଳନ କରୁଛି ତାହା କେବଳ ତାଙ୍କ ଫଟୋକୁ ଧରି ଭୋଟ ମାଗିବା ପାଇଁ।”

ପୂର୍ବରୁ ପାରାଦୀପ କାର୍ଯ୍ୟକ୍ରମରେ ଜାତୀୟ ନେତା ଶରଦ ପାୱାର, ନୀତୀଶ କୁମାର ଓ ମୁଲାୟମ ସିଂହ ଯାଦବ ଯୋଗଦେବା ନେଇ ଦାମ ଦେଇଥିବା ମନ୍ତବ୍ୟ ସପକ୍ଷରେ ନ ଥିଲା ବିଜେଡି। ଆଉ ଗୋଟିଏ ଦିନ ପରେ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ହେଉଥିବା ବେଳେ ଏହାକୁ ନେଇ ବିଜେଡି ଭିତରେ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି।