ରାଜ୍ୟ ସରକାରଙ୍କ ସବୁ ଯୋଜନାରେ ବିଜୁ ବାବୁ: କେନ୍ଦ୍ରୀୟ ଯୋଜନା ବେଳେ ମନେପଡ଼ନ୍ତି ଅନ୍ୟ ବରପୁତ୍ର?

ଭୁବନେଶ୍ୱର(ଦେବଦତ୍ତ ରଥ):ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କରିବାଠାରୁ ରାଜ୍ୟ ସରକାରଙ୍କର ଗୋଟିଏ ପରେ ଗୋଟିଏ ଯୋଜନା ବିଜୁ ବାବୁଙ୍କ ନାମରେ ନାମିତ କରାଯାଉଛି।ଓଡ଼ିଶାର ଅନ୍ୟାନ୍ୟ ବରପୁତ୍ରଙ୍କ ନାମରେ କୌଣସି ଯୋଜନା ପ୍ରାୟତଃ ଦେଖାଯାଏନି।ଏହାକୁ ନେଇ ବିରୋଧୀ ଦଳ ମାନେ ଅନେକ ସମୟରେ ନବୀନ ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି।ଓଡ଼ିଶାର ଅନ୍ୟାନ୍ୟ ବରପୁତ୍ରମାନେ ବିଜେଡି ଏବଂ ନବୀନଙ୍କ ଆଖିକୁ ଦେଖାଯାଉ ନାହାଁନ୍ତି ବୋଲି ସେମାନେ ସମାଲୋଚନା କରନ୍ତି।

ଏବେ କେନ୍ଦ୍ର ସରକାରଙ୍କ “ଉଡାଣ” ଯୋଜନା ଅନୁଯାୟୀ ଓଡ଼ିଶାରେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଝାରସୁଗୁଡ଼ା ବିମାନ ବନ୍ଦରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ଝାରସୁଗୁଡ଼ା ବିମାନ ବନ୍ଦରକୁ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ପ୍ରବଳ ଦାବି ଏଥିପାଇଁ ହେଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି।ନବୀନ କହିଛନ୍ତି ଯେ ଏହା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ହେବ ଏବଂ ପଶ୍ଚିମ ଓଡ଼ିଶାର ଆବଶ୍ୟକତାକୁ ପୂରଣ କରିବ।ବୀର ସୁରେନ୍ଦ୍ର ସାଏ ମଧ୍ୟ ସେହି ଅଞ୍ଚଳର।ତେଣୁ ବିମାନ ବନ୍ଦରକୁ ତାଙ୍କ ନାମରେ ନାମିତ କରାଗଲେ ସେହି ମାଟିର ବରପୁତ୍ରଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ।ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସକରାତ୍ମକ ଭାବେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ,ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ପାଇଁ ବେସାମରିକ ବିମାନ ବନ୍ଦର ପ୍ରାଧିକରଣ ଅନୁମତି ମିଳିସାରିଛି।ସମ୍ଭବତଃ ଜୁଲାଇ ୫ତାରିଖରେ ଏହାର ଉଦ୍ଘାଟନ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିବାର ସମ୍ଭାବନା ରହିଛି।ତେବେ ରାଜ୍ୟ ସରକାରଙ୍କ ବିଭିର୍ଣ୍ଣ ଯୋଜନା ବେଳେ ବିଜୁ ବାବୁଙ୍କ ବ୍ୟତୀତ ଅନ୍ୟ କେହି ବରପୁତ୍ର ପ୍ରାୟତଃ ମନେ ପଡୁନଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନା ବେଳେ ନବୀନ ବାବୁଙ୍କର ବୋଧେ ଅନ୍ୟ ବରପୁତ୍ରଙ୍କ କଥା ମନେ ପଡିଯାଉଛି?