ବିଜୟଙ୍କୁ ବିଶ୍ୱଭୂଷଣଙ୍କ ଜବାବ: ଆମେ ଏଇ ସବୁ କାମ କରିଥିଲୁ, ଆପଣ ଜାଣିଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିଜେପି ସମଗ୍ର ରାଜ୍ୟରେ ଆନ୍ଦୋଳନ କରୁଛି। ଯାହାକୁ ନେଇ ରାଜ୍ୟ ସରକାର କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ଏପରି ସମୟରେ ବିଜେଡି ଯେଉଁ ପ୍ରଶ୍ନ ପଚାରିବା କଥା, ତାହା ବିଜେପିର ବରିଷ୍ଠ ରାଜନେତା ବିଜୟ ମହାପାତ୍ର ପଚାରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ କୌତୁହଳର ବିଷୟ। ତେଣୁ ତାଙ୍କ ସମ୍ପର୍କରେ ଆଉ କିଛି କହିବି ନାହିଁ। ସେ ସବୁ କଥା ବୁଝି ଉତ୍ତର ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ।

ବିଜୟ କ’ଣ କହିଥିଲେ?

ବିଜେଡି ସହ ଭାଗୁଆଳି ଶାସନରେ ଆଇନ ବିଭାଗର ଦାୟିତ୍ୱ ନେଇଥିଲା ବିଜେପି। ସେହି ସମୟରେ ବିଜେପି ଶ୍ରୀମନ୍ଦିର ପାଇଁ କ’ଣ କରିଛି? ୬ ମାସରେ ରତ୍ନଭଣ୍ଡାର ଖୋଲିବା ନିୟମ ଥିଲେ ବି ୯ ବର୍ଷରେ କେତେ ଥର ଏହା ଖୋଲାଯାଇଛି? ଅନ୍ୟକୁ କହିବା ପୂର୍ବରୁ ଭାବିଚିନ୍ତି କହିବା କଥା ବୋଲି ବିଜୟ ନିଜ ଦଳର ନେତାଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ବିଜେଡି ସହ ବିଜେପିର ମେଣ୍ଟ ସରକାରରେ ବିଶ୍ୱଭୂଷଣ ଆଇନ ମନ୍ତ୍ରୀ ଥିଲେ।

ବିଶ୍ୱଭୂଷଣଙ୍କ ଜବାବ

ବିଜେଡି ସହିତ ଭାଗୁଆଳ ଶାସନ ବେଳେ ବିଜେପି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଏକଥା ହୁଏତ ବିଜୟ ବାବୁ ଜାଣି ନାହାନ୍ତି। ସବୁ କିଛି ପଚାରି ଓ ବୁଝି କହିଥିଲେ ଭଲ ହୋଇଥାଆନ୍ତା ବୋଲି ବିଜୟଙ୍କୁ ଜବାବ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ।

ସେ କହିଛନ୍ତି,“୨୦୦୦-୨୦୦୪ ମସିହା ଭିତରେ ଜଗନ୍ନାଥ ମନ୍ଦିରରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ଜଗନ୍ନାଥ ଟେମ୍ପୁଲ ଆକ୍ଟର ବ୍ୟାପକ ସଂସ୍କାର କରାଯାଇଥିଲା। ପ୍ରଶାସନିକ କ୍ଷେତ୍ରରେ ଅପଗ୍ରେଡେସନ୍‌ କରାଯାଇଥିଲା। ଗଠନ କରାଯାଇଥିବା କମିଟିରେ ଅଧ୍ୟକ୍ଷ ହୋଇଥିଲେ ଗଜପତି ମହାରାଜା ଦିବ୍ୟସିଂହଦେବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଙ୍କର ଜଣେ ଅଧିକାରୀଙ୍କୁ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାଛଡ଼ା ଆର୍‌ଡିସି ରାଙ୍କର ଆଉ ଜଣେ ଆଇଏଏସ୍‌ ଅଫିସରଙ୍କୁ ମୁଖ୍ୟ ପ୍ରଶାସକ କରାଯାଇଥିଲା। ଯୁଗ୍ମ ଶାସନ ସଚିବ ରାଙ୍କର ଦୁଇ ଜଣଙ୍କୁ ନୀତି ପ୍ରଶାସକ ଓ ଉନ୍ନୟନ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଥିଲା। ସେହିପରି ଆଡିସ୍‌ନାଲ୍‌ ଏସ୍‌ପି ରାଙ୍କର ଜଣେ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିଲା। ଏହାଛଡ଼ା ଅନ୍ୟାନ୍ୟ ସଦସ୍ୟମାନେ ନିୟୋଜିତ ହୋଇଥିଲେ। ମାତ୍ର ଏ ସମ୍ପର୍କରେ ହୁଏତ ବିଜୟ ବାବୁଙ୍କୁ ଜାଣିନାହାନ୍ତି।”

ସେ ଆହୁରି କହିଛନ୍ତି,“ଆୟ ବଢ଼ାଇବା ପାଇଁ ମନ୍ଦିର ବାହାରେ ଥିବା ଟେମ୍ପୁଲ ଆଡ୍‌ମିନିଷ୍ଟ୍ରେସନ୍‌ ଅଫିସ୍‌ରେ ଦାନ ବାକ୍ସ ବସା ଯାଇଥିଲା। ଭକ୍ତମାନେ ସେଠାରେ ଦାନ ଦେଉଥିଲେ। ସେହିପରି ଭୁବନେଶ୍ୱର ଜୟଦେବ ଭବନ ନିକଟରେ ଏକ ସୂଚନା କେନ୍ଦ୍ର ଓ ଦାନ ବାକ୍‌ସ ନିର୍ମାଣ କରାଯାଇଥିଲା। ସେଠାରେ ମଧ୍ୟ ଭକ୍ତମାନେ ଚାହିଁଲେ ଦାନ ଦେଇ ପାରୁଥିଲେ। ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ବଡ଼ଦାଣ୍ଡରେ ୬୦ କୋଠରୀ ବିଶିଷ୍ଟ ନୀଳଚଳ ଭକ୍ତ ନିବାସ ନିର୍ମାଣ କରାଯାଇଥିଲା। ରଥଯାତ୍ରା ସମୟରେ ଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରୀବିଜେ ୧୫ ଭିତରେ ବଡଦାଣ୍ଡରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିବ। ସେହିପରି ମନ୍ଦିର ଭିତରେ ସେବାରେ ନିୟୋଜିତ ସେବାୟତଙ୍କ ପାଇଁ ମଧ୍ୟ ବୀମା କରାଯାଇଥିଲେ। ସେମାନଙ୍କର ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ବୀମା ରାଶି ପାଇବେ। ଆନନ୍ଦବଜାର ନବୀକରଣ ଓ ମେଘନାଦ ପାଚେରି ଚାରି ପାର୍ଶ୍ୱରେ ହାଇମାଷ୍ଟ ଲାଇଟ୍‌ ଲଗା ଯାଇଥିଲା। ଏପରି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି।”

ବିଜୟ କହିଲେ ଦେହକୁ ନିଅନ୍ତୁନି

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାଉଣ୍ଟର ଆଟାକର ଜବାବ ଦେଲେ ବିଜୟ ମହାପାତ୍ର। ସେ କହିଛନ୍ତି,“ବିଶ୍ୱଭୂଷଣ ବାବୁ କଣ କହିଲେ, ସେ ବିଷୟରେ କହିବାକୁ ଚାହୁଁନି। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବକ୍ତବ୍ୟ ଉପରେ ମତାମତ ରଖିଥିଲି। ମୁଁ ବିଶ୍ୱଭୂଷଣଙ୍କ ନାଁ ଧରିନି। ସେ ଦେହକୁ ନେବା ଉଚିତ ନୁହେଁ। ୧୯୮୫ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ୮୫ରୁ ୨୦୧୮ ଯାଏ ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନେ ଏହି ସମ୍ପର୍କରେ କହିବେ। ଏହା ଶ୍ରୀମନ୍ଦିର ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବା ବିଧି ରହିଛି। ୨୦୦୦ରୁ ୨୦୦୯ ଯାଏଁ ରିପୋର୍ଟ ଉପସ୍ଥାପନ ହୋଇଛି କି? ଯଦି ରତ୍ନ ଭଣ୍ଡାର ଚାବି ମିଳୁନି ତେବେ ତାଲା ଭଂଗାଯାଉ। ହାଇକୋର୍ଟ, ଗଜପତି ଓ ସରକାରଙ୍କ ଉପସ୍ଥିତିରେ ଚାବି ଭାଙ୍ଗାଯାଇ ରତ୍ନ ଗଣତି କରାଯାଉ।”

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More