ଜେଲ୍‌ରୁ ବାହାରିବେ ବିତ୍ତି: ହାଇକୋର୍ଟ କଲେ ଦୋଷମୁକ୍ତ

ଭୁବନେଶ୍ୱର: ଜେଲ୍‌ରୁ ମୁକୁଳିବେ ବିତ୍ତିହୋତ୍ର। ବିତ୍ତିହୋତ୍ରଙ୍କ ବିରୋଧରେ ଥିବା ପାରୋଲ ଉଲ୍ଲଂଘନ ମାମଲା ଖାରଜ ହୋଇଛି। ରାଜସ୍ଥାନ ହାଇକୋର୍ଟ ଆଜି ଶୁଣାଣି ପରେ ଏହି ମାମଲାକୁ ଖାରଜ କରିଛନ୍ତି। ଜୁଲାଇ ୬ରେ ବିତ୍ତିହୋତ୍ର ରାଜସ୍ଥାନ ଅଲଓ୍ୱାର ଜେଲ୍‌ରୁ ମୁକୁଳିବା ସ୍ପଷ୍ଟ ହୋଇଛି। ଜର୍ମାନୀ ଯୁବତୀ ଧର୍ଷଣ ମାମଲାରେ ଗତ ମାର୍ଚ୍ଚ ୩୧ ତାରିଖରେ ସେ ସୁପ୍ରିମକୋର୍ଟରୁ ଜାମିନ ପାଇସାରିଛନ୍ତି। ତାଙ୍କ ଓକିଲ ସାର୍ଥକ ନାୟକ ଏହି ସୂଚନା ଦେଇଛନ୍ତି।

ଗତ ୩୧ ତାରିଖରେ ବିତ୍ତିଙ୍କୁ ସୁପ୍ରିମ୍‌କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ। ଅଢେଇ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଏହି ଜାମିନ ମିଳିଥିଲା। ଏହାସହ ପ୍ରତିମାସରେ କ୍ୟାଣ୍ଟନମେଣ୍ଟ ଥାନାରେ ହାଜିରା ଦେବା ଓ ନିଜ ପାସ୍‌ପୋର୍ଟ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ପାରୋଲ ଉଲ୍ଲଂଘନ ଜନିତ ମାମଲା ଯୋଗୁଁ ସେ ଜେଲ୍‌ରୁ ମୁକୁଳି ପାରି ନ ଥିଲେ। ଏହା ପରେ ସେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜର୍ମାନ ଯୁବତୀ ଧର୍ଷଣ ମାମଲାରେ ବିତ୍ତିହୋତ୍ରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଥିଲା। ପାରୋଲରେ ଆସି ସେ ଜେଲ୍‌କୁ ଫେରି ନ ଥିଲେ। ପରେ ତାଙ୍କୁ କେରଳରୁ ଗିରଫ କରାଯାଇଥିଲା।