ବିଜେଡି-ବିଜେପି ପୋଷ୍ଟର ଯୁଦ୍ଧ ପାଲଟିଲା ପୋଷ୍ଟର ଚିରା ଯୁଦ୍ଧ

bjd-bjp-war
ରାଜଧାନୀ ଭୁବନେଶ୍ୱରରେ ବିଜେଡି ପୋଷ୍ଟର ଚିରା ଯାଇଛି

ଭୁବନେଶ୍ୱର: ପୋଷ୍ଟର ଯୁଦ୍ଧ ପାଲଟିଲା ପୋଷ୍ଟର ଚିରା ଯୁଦ୍ଧ। ଭୁବନେଶ୍ୱର ବାଣୀବିହାରଠାରେ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ବିଜେଡି ପୋଷ୍ଟରରେ ନବୀନଙ୍କ ଫଟୋକୁ କେହି ଦୁର୍ବୃତ୍ତ ଚିରି ଦେଇଛି। ପୂରା ୩ କି.ମି. ରାସ୍ତାରେ ଏପରି ଦେଖିବାକୁ ମିଳିଛି। ଏ ନେଇ ବିଜେଡି ପକ୍ଷରୁ ଥାନାରେ ଏତଲା ଦିଆଯିବା ସହ ପୋଲିସ କମିଶନରଙ୍କୁ ଅବଗତ କରାଯାଇଛି। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି।

ସେହିପରି ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ପୋଷ୍ଟର ୱାର ଉଗ୍ରରୂପ ନେବାରେ ଲାଗିଛି। ଆଜି ପାରାଦୀପରେ ପୋଷ୍ଟର ମରାକୁ ନେଇ ଦୁଇ ଦଳର ନେତା ଓ କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଶୋଧନାଗାର ପ୍ରବେଶ ପଥରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଉଭୟ ଦଳର କର୍ମୀମାନେ ରାସ୍ତାରୋକ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦଳର କର୍ମୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି। ପ୍ରଧାନମନ୍ତ୍ରୀ ଗସ୍ତରେ ଆସୁଥିବାରୁ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ଉଭୟ ଦଳର କର୍ମୀଙ୍କୁ ପୋଲିସ କହିଛି।

ରାଜଧାନୀରେ ବିଜେଡି ପୋଷ୍ଟର ଚିରାକୁ ନେଇ ସହିଦ ନଗର ଥାନା ଓ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି ଭୁବନେଶ୍ୱର ମେୟର ଅନନ୍ଦ ନାରାୟଣ ଜେନା କହିଛନ୍ତି। ଜାଣିଶୁଣି ଏପରି କରାଯାଇଛି। ଏହା ହୀନ ରାଜନୀତି ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଗଣତନ୍ତ୍ର ରାଷ୍ଟ୍ରରେ ଯାହାର ଯେମିତି ଇଚ୍ଛା ପୋଷ୍ଟର ଲଗାଇ ପାରିବେ। କାହାରିଙ୍କୁ ମନା ନାହିଁ। ଆମର ଭିତରେ କିଛି ଝଗଡା ନାହିଁ। ଓଲଟା ସେ ମିଡିଆକୁ ଏଥିପାଇଁ ଦୋଷ ଦେଇଛନ୍ତି। ସେ କହିଛନ୍ତି, ପୋଷ୍ଟର ଚିରା ଘଟଣାକୁ ନେଇ ମିଡିଆ ଦୁଇ ଦଳ ମଧ୍ୟରେ ଝଗଡା ଥିବା ଚିତ୍ରଣ କରିବାକୁ ଚାହୁଁଛି।

paradip
ପାରାଦୀପରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି-ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି

ଅନ୍ୟପକ୍ଷେ ଆଇଓସିଏଲ ଉଦ୍‌ଘାଟନୀ ପ୍ରଚାରରେ ଶହେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପରି କି ଏହାର ସିବିଆଇ ତଦନ୍ତ କରାଯିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ପ୍ରଚାରରେ ଯାହା ବଦ୍‌ଖର୍ଚ୍ଚ ହେଉଛି ତାହାର ସିବିଆଇ ତଦନ୍ତ କରାଯାଇ ଏହା ପଛରେ କିଏ ଅଛି ତାକୁ ବାହାର କରାଯାଉ। କେନ୍ଦ୍ରରେ କଂଗ୍ରେସ ସରକାର ବେଳେ ପାରାଦୀପ ତୈଳ ବିଶୋଧନାଗାରର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ହେଲେ ପିଲା କାହାର ଆଉ ବାପା ହେବାକୁ ଏହି ଦୁଇ ଦଳ ଯେପରି ପ୍ରତିଯୋଗିତା କରୁଛନ୍ତି ତାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ବୋଲି ସେ କହିଛନ୍ତି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ। ଏଥିରେ ବିଜେପିର କୌଣସି ନେଣଦେଣ ନାହିଁ। ପ୍ରଧାନମନ୍ତ୍ରୀ ଆମ ଦଳର ହୋଇଥିବାରୁ ଆମେ ତାଙ୍କୁ ସ୍ୱଗତ ଜଣାବାକୁ କାର୍ଯ୍ୟକ୍ରମ କରୁଛୁ ବୋଲି ସେ କହିଛନ୍ତି।