ପାଣ୍ଡିଆନ୍‌ଙ୍କ ବିରୋଧରେ କହିବାରୁ ବୈଜୟନ୍ତଙ୍କ ଚୌକି ଗଲା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ମହଲା ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିବା, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଲା। ଏହାକୁ ଦଳ ସ୍ୱୀକାର କରିଛି। ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟଙ୍କ ଆଜିର ମନ୍ତବ୍ୟରୁ ଏ କଥା ସ୍ପଷ୍ଟ ହୋଇଯାଇଛି। ତେବେ ନିଲମ୍ବନ ସଂପର୍କିତ ପ୍ରେସ୍ ରିଲିଜ୍‌ରେ ୨୦୧୪ର ଅଭିଯୋଗ ରହିଥିବା ବେଳେ, କେନ୍ଦ୍ରାପଡ଼ାରୁ ଆସିଥିବା ଅଭିଯୋଗ ଏବଂ ଉଷାଦେବୀ ଓ ପ୍ରମିଳା ମଲ୍ଲିକ କରିଥିବା ତଦନ୍ତ ନେଇ କିଛି […]

Babu

Babu

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 08:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ମହଲା ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିବା, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଲା। ଏହାକୁ ଦଳ ସ୍ୱୀକାର କରିଛି। ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟଙ୍କ ଆଜିର ମନ୍ତବ୍ୟରୁ ଏ କଥା ସ୍ପଷ୍ଟ ହୋଇଯାଇଛି। ତେବେ ନିଲମ୍ବନ ସଂପର୍କିତ ପ୍ରେସ୍ ରିଲିଜ୍‌ରେ ୨୦୧୪ର ଅଭିଯୋଗ ରହିଥିବା ବେଳେ, କେନ୍ଦ୍ରାପଡ଼ାରୁ ଆସିଥିବା ଅଭିଯୋଗ ଏବଂ ଉଷାଦେବୀ ଓ ପ୍ରମିଳା ମଲ୍ଲିକ କରିଥିବା ତଦନ୍ତ ନେଇ କିଛି ବି ଉଲ୍ଲେଖ ନାହିଁ।

ତୃତୀୟ ମହଲାର ବାବୁ ପଲିଟିସିଆନଙ୍କୁ ଟାର୍ଗେଟ କରିବା ବୈଜୟନ୍ତଙ୍କୁ ମହାଙ୍ଗା ପଡିଲା କି? ଏହାକୁ ନେଇ ପାଓ୍ୱାରକରିଡ଼ରରେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଏହାକୁ ଖୋରାକ୍ ଯୋଗାଇଛି ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା। ସେ କହିଛନ୍ତି–“ବାରମ୍ବାର କହିବା ପରେ ମଧ୍ୟ ବୈଜୟନ୍ତ ତୃତୀୟ ମହଲାକୁ ଆଙ୍ଗୁଠି ଦେଖାଇଲେ। ତେଣୁ କାର୍ଯ୍ୟାନୁଷ୍ଠାନ ହେଲା।”

ସେପଟେ ନିଲମ୍ବନ ନେଇ ବିଜେଡି ଜାରି କରିଥିବା ପ୍ରେସ୍ ରିଲିଜକୁ ନେଇ ଉଠିଛି ପ୍ରଶ୍ନ? ନିଶ୍ଚିତକୋଇଲିଠୁ ଆରମ୍ଭ କରି ଆଳି ପର୍ଯ୍ୟନ୍ତ ଯେତେ ଅଭିଯୋଗ ଆସିଥିଲା, ତା ସହିତ ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଓ ଉଷା ଦେବୀ ତଦନ୍ତ କରି ଯେଉଁ ରିପୋର୍ଟ ଦେଇଥିଲେ, ନିଲମ୍ୱନ ଆଦେଶରେ ତାହା ସ୍ଥାନ ପାଇଲାନି। ବରଂ ୨୦୧୪ ମସିହାରେ କ’ଣ ଘଟିଥିଲା, ଇମ୍ଫାରୁ ବୈଜୟନ୍ତ କେତେ ଦରମା ଓ ଭତ୍ତା ନେଇଥିଲେ ଓ ପଞ୍ଚାୟତ ନିର୍ବାଚନ କଥା ବି ଉଲ୍ଲେଖ ରହିଛି। ପ୍ରଶ୍ନ ଉଠୁଛି- ଅନ୍ୟ ନେତାମାନଙ୍କୁ ଧାଡ଼ିକିଆ ପ୍ରେସ୍ ରିଲିଜରେ ନିଲମ୍ବନ କରଯାଉଥିବା ବେଳେ, ବୈଜୟନ୍ତଙ୍କ କ୍ଷେତ୍ରରେ ଏମିତି ବ୍ୟତିକ୍ରମ କାହିଁକି? ପ୍ରେସ୍ କନଫରେନ୍ସ ଡାକି ନିଲମ୍ବନ ଘୋଷଣା କରିବା ଏବଂ ବୈଜୟନ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରି କ’ଣ ଭିନ୍ନ ବାର୍ତ୍ତା ଦେବାକୁ ଚାହୁଁଛି ବିଜେଡି?

ସେପଟେ ବୈଜୟନ୍ତଙ୍କୁ ନିଲମ୍ବନ ନେଇ ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି। ଆଜି ବିଜେଡି ନେତାଙ୍କ ଅବସ୍ଥା ‘ବିରି ମାଡ଼ ଦେଖି କୋଳଥ ଚେପା’ ଭଳି ହୋଇଥିଲା। ବୈଜୟନ୍ତ ପ୍ରସଙ୍ଗରେ ପ୍ରଶ୍ନ ଶୁଣି ଅନେକ ଟିଭି କ୍ୟାମେରା ସାମ୍ନାରେ ଚୁପ୍ ରହିଲେ। ତ ଆଉ କିଏ କିଏ ଏ ପ୍ରସଙ୍ଗ ଉଠାଇଲେ ହାତଯୋଡ଼ି ପଳାଇଥିଲେ। ତେବେ ବୈଜୟନ୍ତ ଏନେଇ ମୁହଁ ଖୋଲି ନଥିବା ବେଳେ, ଗତକାଲି ଟ୍ୱିଟ୍ ଜରିଆରେ ତାଙ୍କ ବିରୋଧରେ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି ଉଲ୍ଲେଖ କରିଥିଲେ। ସେ ପୁଣି ଥାର୍ଡଫ୍ଲୋର୍ ବାବୁଙ୍କ ଷଡ଼ଯନ୍ତ୍ର କଥା ଉଠାଇଥିଲେ। ତେବେ ବୈଜୟନ୍ତଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାକୁ ନେଇ ବି କଳ୍ପନାଜଳ୍ପନା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos