ସତ କହିଦେଲେ ପୁରୋହିତ: ଅର୍ଚ୍ଚନାଙ୍କ ଘର ପ୍ରତିଷ୍ଠାକୁ ଯାଇଥିଲେ ସୂର୍ଯ୍ୟ ପାତ୍ର

ଜଳେଶ୍ୱର(ଅଜିତ ଦାସ): ରାଜଧାନୀର ବ୍ଲାକମେଲ୍‌ର ଅର୍ଚ୍ଚନା ନାଗଙ୍କ ଘର ପ୍ରତିଷ୍ଠାକୁ ଯାଇଥିଲେ ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ଯେଉଁଥିପାଇଁ ଗତ କିଛି ଦିନ ହେଲା ସୋଶାଲ୍‌ ମିଡିଆରେ ସୂର୍ଯ୍ୟ ପାତ୍ରଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ୍‌ ହେଉଥିଲା। ଆଉ ଏହାକୁ ନେଇ ଏବେ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନାଙ୍କ ପରିବାର ପୁରୋହିତ ହରିଶଙ୍କର ଶତପଥୀ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ହରିଶଙ୍କର ହେଉଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ପୁରୋହିତ। ସେ କହିଛନ୍ତି, ବହୁ ଥର ତାଙ୍କ ବଙ୍ଗଲାକୁ ଯାଇଛନ୍ତି। ସେହି ସମୟରେ ସେ ସୂର୍ଯ୍ୟ ପାତ୍ରଙ୍କୁ ଦେଖିଛନ୍ତି। ଭୁବନେଶ୍ୱରରେ ଅର୍ଚ୍ଚନାଙ୍କ ବଙ୍ଗଳା ପ୍ରତିଷ୍ଠା ବେଳେ ସେ ହିଁ ପୂଜା କରିଥିଲେ। ଏଥିରେ ସୂର୍ଯ୍ୟ ପାତ୍ର ଆସିଥିବା କହିଛନ୍ତି ଶ୍ରୀ ଶତପଥୀ। ତେବେ ଏନେଇ ସୂର୍ଯ୍ୟ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନି।

ଅର୍ଚ୍ଚନା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ତେବେ କୁଆଡ଼େ ଗଲେ ତାଙ୍କ ସ୍ୱାମୀ ଜଗବନ୍ଧୁ? ଏଥିସହ ତାଙ୍କ ଦାମୀ ବାଇକ କୁଆଡ଼େ ଗଲା? ଭୁବନେଶ୍ୱର ସ୍ଥିତ ଏକ ଆପାର୍ଟମେଣ୍ଟରେ ଥିବା ହାର୍ଲି ଡାଭିଡ୍ସନ୍‌ ବାଇକ୍‌ର ଆଉ ଦର୍ଶନ ମିଳୁନି। ଏକ ଟାଟା ଏସିଇ ଗାଡ଼ିରେ ବୋଝେଇ କରି ବାଇକ୍‌କୁ ନିଆ ଯାଇଥିବା ସିସିଟିଭିରେ ଦେଖିବାକୁ ମିଳିଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ସେହି ବାଇକକୁ ନେଇଛି? ସେନେଇ ସ୍ପଷ୍ଟ ହୋଇପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିବା ଅଭିଷେକ ନାମକ ଜଣେ ଯୁବକ ଗତ ୨ ମାସ ହେଲା ଗାଡିଟିକୁ ରଖିଯାଇଥିଲେ। ତେବେ ସେହି ଗାଡ଼ି ଏବେ ଗାୟବ ହୋଇଯାଇଛି। ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି ସୃଷ୍ଟି ହୋଇଛି।

ସେପଟେ ଅର୍ଚ୍ଚନା ନାଗ କେଳେଙ୍କାରୀ ପ୍ରସଙ୍ଗରେ ବିଜେପି କହିଛି ଅଭିଯୁକ୍ତ କିଏ? ତା’ର ପ୍ରମାଣ କରିବାକୁ ଚାହୁଁନି ସରକାରୀ ଦଳ। ଯାହାର ଫଟୋ ବାହାରିଛି, ଯାହାର ନାଁ ସାମନାକୁ ଆସିଛି ତା’ର ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେପି। ଶାସକ ଦଳର ବହୁ ବିଧାୟକଙ୍କ ସହ ଅର୍ଚ୍ଚନାଙ୍କ ପରିଚୟ ଥିବା ବେଳେ, ଲୋକ ଦେଖାଣିଆ ଭାବେ ଜଣଙ୍କୁ ପ୍ରଚାରକ ତାଲିକାରୁ ବାଦ ଦେଲେ କ’ଣ ହେବ ବୋଲି ବିଜେପି ପ୍ରଶ୍ନ କରିଛି।

ସେପଟେ ଏନେଇ ବିଜେଡି ପକ୍ଷରୁ ମିଳିପାରିନି ପ୍ରତିକ୍ରିୟା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।