ବିଜେପିର ପରିବର୍ତ୍ତନ ସମାବେଶ ବେଳେ ଗଣ୍ଡଗୋଳ

bjpଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ଆଜି ପାଳନ କରିଛି ପରିବର୍ତ୍ତନ ସମାବେଶ। ଏହି ସମୟରେ କର୍ମୀମାନେ ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି କେତେକ ସ୍ଥାନରେ ବିଜେପି କର୍ମୀ ଓ ପୋଲିସ୍‌ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି।

କୋରାପୁଟ୍‌ ଜିଲ୍ଲା ସଦର ମୁହକୁମାରେ ହୋଇଥିବା ପରିବର୍ତ୍ତନ ସମାବେଶ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୪ ଦଫା ଦାବି ପୂରଣ ପାଇଁ ବିଜେପି ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ବିଧାୟକ ରବି ନାୟକଙ୍କ ନେତୃତ୍ୱରେ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍‌ ସେମାନଙ୍କୁ ବିରୋଧ କରିବାରୁ ପୋଲିସ୍‌ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ରେ ତାଲା ପକାଇ ଦେଇଥିଲେ।

ବଲାଙ୍ଗିର ବିଜେପି ପକ୍ଷରୁ ମଧ୍ୟ ପରିବର୍ତ୍ତନ ସମାବେଶ ହୋଇଛି। ଦାବି ପୂରଣ ପାଇଁ କର୍ମୀମାନେ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ କରିଥିଲେ। ପରେ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ତାଙ୍କ ଝିଅ ନିବୃତ୍ତି ଓ ଅନ୍ୟାନ୍ୟ ବରିଷ୍ଠ କର୍ମୀମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ନବରଙ୍ଗପୁରରେ ବିଜେପି କର୍ମୀମାନେ ବାଇକ୍‌ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ପରେ ଦାବିପତ୍ର ଦେବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।

ଜଗତସିଂହପୁରରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ରାଜ୍ୟ ଉପସଭାପତି ନୟକ କିଶୋର ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।