୮ଟିରେ ବିଜେପି ଓ ୯ଟିରେ ବିଜେଡି ଲୋକସଭା ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୋଟ୍ ଗଣତି ଚାଲିଛି। ଶେଷ ଖବର ଲେଖାଯିବା ସୁଦ୍ଧା ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୭ଟିର ଫଳାଫଳ ଆସୁଛି। ଏବେ ବି ଏହି ସବୁ ଆସନରେ ଗଣତି ଚାଲିଥିବା ବେଳେ ୮ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୯ଟିରେ ଆଗରେ ରହିଛି।

ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଥିବା ବେଳେ ଢେଙ୍କାନାଳ ଓ ଭୁବନେଶ୍ୱରରେ ଯଥାକ୍ରମେ ଦଳୀୟ ପ୍ରାର୍ଥୀ ରୁଦ୍ର ପାଣି ଓ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅପରାଜିତା ଷଡ଼ଙ୍ଗୀ ୪୦୦୦ ଭୋଟରେ ଆଗୁଆ ଅଛନ୍ତି। ସୁନ୍ଦରଗଡ଼ରେ ଜୁଏଲ ଓରାମ ଓ କଳାହାଣ୍ଡିରେ ବସନ୍ତ ପଣ୍ଡା ଆଗରେ ଚାଲିଛନ୍ତି। ବରଗଡ଼ରେ ଦଳୀୟ ପ୍ରାର୍ଥୀ ସୁରେଶ ପୂଜାରୀ ଆଗରେ ଅଛନ୍ତି। ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ ଆଗରେ ରହିଛନ୍ତି। ଭଦ୍ରକରେ ଅଭିମନ୍ୟୁ ସେଠୀ ଆଗରେ ଚାଲିଛନ୍ତି।

ଆସିକା ଲୋକସଭାରେ ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗରେ ଚାଲିଥିବା ବେଳେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀ ରମେଶ ମାଝୀ ଆଗରେ ଚାଲିଛନ୍ତି। କନ୍ଧମାଳରେ ଅଚ୍ୟୁତ ସାମନ୍ତ ଓ କେନ୍ଦ୍ରାପଡ଼ାରେ ଅନୁଭବ ମହାନ୍ତି ଆଗରେ ଚାଲିଛନ୍ତି। କୋରାପୁଟରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ଆଗରେ ଅଛନ୍ତି। ସମ୍ବଲପୁରରେ ନଳିନୀକାନ୍ତ ପ୍ରଧାନ ଆଗୁଆ ରହିଛନ୍ତି। ସେହିପରି ଯାଜପୁରରେ ଶର୍ମିଷ୍ଠା ସେଠୀ, କେନ୍ଦୁଝରରେ ଚନ୍ଦ୍ରାଣୀ ମୁର୍ମୁ ଆଗରେ ରହିଛନ୍ତି। ପୁରୀରେ ପିନାକୀ ମିଶ୍ର ଆଗରେ ରହିଛନ୍ତି।

ଅନ୍ୟପକ୍ଷରେ ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୪୪ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ ଏଥିରେ ୩୦ଟିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ୬ଟି ଓ କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି।