ସିଇଓଙ୍କ ବିରୁଦ୍ଧରେ ଫେରାଦ ହେଲା ବିଜେପି: ନିରପେକ୍ଷ ନିର୍ବାଚନ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନକୁ ନିରପେକ୍ଷ କରିବା ନିମନ୍ତେ ବିଜେପି ଦାବି କରିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତି ବିରୁଦ୍ଧରେ ଦଳ ଲିଖିତ ଭାବେ ଅଭିଯୋଗ କରିଛି । ଏହାସହିତ ନିର୍ବାଚନ ପରିଚାଳନାରୁ ସେହି ନିର୍ବାଚନମଣ୍ଡଳୀର ମିଶନ ଶକ୍ତି ଓ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଦୂରେଇ ରଖିବାକୁ ଦାବି କରିଛି ।

ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟି ଶାସକ ଦଳ ଚାପରେ ପ୍ରଭାବିତ ନହୋଇ ଧାମନଗର ଉପନିର୍ବାଚନକୁ ନିରପେକ୍ଷ ଭାବେ ପରିଚାଳନା କରିବାକୁ ଦାବି କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜେଡି ସରକାରୀ କଳ ଓ ବଳର ଅପବ୍ୟବହାର କରି ବିଭିନ୍ନ ଉପାୟରେ ଭୋଟ ହାତେଇବାର ପ୍ରୟାସ ଜାରି ରଖିଛି ବୋଲି ବିଜେପି ଅଭିଯୋଗ କରିଛି । ନିର୍ବାଚନମଣ୍ଡଳୀର ବାହାର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ନିର୍ବାଚନ ପରିଚାଳନାର ଦାୟିତ୍ୱର ନିୟମ ଥିବାବେଳେ ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତ ଓ ତତ୍ୱାବଧାନରେ ସ୍ଥାନୀୟ ଏଆରଓ ସେହି ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡୀ କର୍ମଚାରୀମାନେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରଖୁଛନ୍ତି । ଏହି ସରକାରୀ କର୍ମଚାରୀମାନେ ଶାସକ ବିଜେଡି ସପକ୍ଷରେ ମତଦାନ ମଧ୍ୟ କରାଉଛନ୍ତି, ଯାହାକି ସଂପୂର୍ଣ୍ଣ ବେଆଇନ । ତେଣୁ ନିର୍ବାଚନମଣ୍ଡଳୀର ବାହାରୁ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେବା ସହିତ ଏହାର ସଠିକ କାର୍ଯ୍ୟାନ୍ୱୟନର ତଦାରଖ କରିବାକୁ ବିଜେପି ଦାବି କରାଯାଇଛି ।

ରାଜ୍ୟ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଭାବେ ବର୍ତ୍ତମାନର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟ କରୁଥିବାରୁ ଶାସକ ବିଜେଡିର ହାତବାରିସୀ ସାଜି ନିଜେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଆଇନକୁ ଉଲ୍ଲଂଘନ କରି ନିର୍ବାଚନ ଆୟୋଗ ଧାମନଗର ଓ ତିହିଡି ବିଡିଓଙ୍କୁ ବଦଳି କରିଥିଲେ । ଅଭିଯୋଗ ପରେ ନିଜ ଦୋଷକୁ ଲୁଚାଇବା ପାଇଁ ସିଇଓ ବିଭିନ୍ନ ବାହାନାବାଜି କରିଲେ । ବାସ୍ତବରେ ଯଦି ବିଡିଓ ଜଣଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଯାଇଥିଲା, ତାହେଲେ ତାଙ୍କୁ ଆଗରୁ କାହିଁକି ବଦଳି କରାଗଲା ନାହି। ଅନ୍ୟପଟେ କନ୍ଧମାଳ ଜିଲ୍ଲାରେ ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜିଲ୍ଲାପାଳ ଡି.ବୃନ୍ଦା, ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କ କ୍ଷେତ୍ରରେ ଏହି ନିୟମ କାହିଁକି ନିର୍ବାଚନ ସମୟରେ ଲାଗୁ କରାଯାଇ ନଥିଲା ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ସେହିପରି ଧାମନଗର ଉପନିର୍ବାଚନରେ ଭୋଟ ଦେବାକୁ ଚାହୁଁଥିବା ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ସମେତ ଦିବ୍ୟାଙ୍ଗ ଏବଂ କୋଭିଡ୍ ସଂକ୍ରମିତ ଭୋଟରମାନଙ୍କ ତାଲିକା ସହ ତାଙ୍କ ଭୋଟ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ତାଲିକା ଓ ରୁଟ୍ ଲିଷ୍ଟ ପ୍ରତ୍ୟେକ ରାଜନୈତିକ ଦଳକୁ ପ୍ରଦାନ କରିବା ପାଇଁ ବିଜେପି ଦାବି କରିଛି ।

ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେଲେ କୈାଣସି ସରକାରୀ ବିକାଶମୂଳକ କାର୍ଯ୍ୟ ହୋଇପାରିବନାହିଁ । କିନ୍ତୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପୂର୍ବ ନିର୍ଦ୍ଦେଶକୁ ଆଳ କରି ମାଟି, ନଳକୂପ, ବିଜୁଳି ଭଳି ଆଦି କାର୍ଯ୍ୟ ଶାସକ ବିଜେଡି କରୁଛି । ଯାହା ସଂପୂର୍ଣ୍ଣ ବେଆଇନ ଓ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ । ଭୋଟରଙ୍କୁ ପ୍ରଭାବିତ କରୁଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ରଖିବା ସହିତ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ତରଫରୁ ଧାରଣା ଓ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା,ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।