‘ଗିରଫଦାରୀ ପରେ ବି ଅର୍ଚ୍ଚନାଙ୍କୁ ହେଉନି ଜେରା, କାହା ଇସାରାରେ ନାଚୁଛି ପୁଲିସ୍‌?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଟେର ପାଇପାରୁନି ପୁଲିସ୍‌। ଏପରିକି ଏଥିରେ ବହୁ ବଡ଼ବଡ଼ିଆ ସାମିଲ ଥିବା ବେଳେ ସେମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ସରକାର ଚେଷ୍ଟା ଚଳାଉଥିବା କହିଛି ବିଜେପି।  ଏପରିକି ଏହି ଘଟଣାକୁ ଚାପି ଦେବାକୁ ସରକାର ଚେଷ୍ଟା କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅର୍ଚ୍ଚନାଙ୍କ ହାଇ ପ୍ରୋଫାଇଲ ରାକେଟରେ ସମ୍ପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି କହି ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ କହିଛନ୍ତି, ପୁଲିସ୍‌ ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଛି । ଅଭିଯୁକ୍ତକୁ ଗିରଫ କରିବା ପରେ ବି କାହିଁକି ଜେରା କରାଯାଇନି ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ମୃତି । ରାକେଟ ପଛରେ ସରକାରୀ ଦଳ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ରହିଛି । ତେଣୁ ଏହାର ସିବିଆଇ ଦାବି କରାଯାଉ । ଅଭିଯୁକ୍ତଙ୍କ ଭିତରେ ଯିଏ ଥାଉ ନା କାହିଁକି ସିବିଆଇ ତଦନ୍ତ କଲେ ସବୁ ସତ ପଦାକୁ ଆସିବ । ଯଦି, ବିଜେଡି ନେତାଙ୍କ ଏଥିରେ ସଂପୃକ୍ତି ନାହିଁ ତେବେ କାହିଁକି ସିବିଆଇ ଦ୍ୱାରା ତଦନ୍ତ କରାଉ ନାହାନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ । ସେପଟେ ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ସୂଚନାଯୋଗ୍ୟ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗତକାଲି ଜାମିନ୍ ଆବେଦନ କରିଥିବା ବେଳେ ଆଜି ଭିସିରେ ତାଙ୍କ ଶୁଣାଣି ଚାଲିଛି। ଗିରଫଦାରୀ ପରଠୁ ଅର୍ଚ୍ଚନା ଝାରପଡ଼ା ଜେଲ୍‌ରେ ଥିବା ବେଳେ ସେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ଆଜି ଜେଲ୍‌ରୁ ହିଁ ଭିସିରେ ତାଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି।

ଗିରଫ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତା ସ୍ୱାମୀଙ୍କର ବହୁ ବଡ଼ ବଡ଼ ନେତା-ମନ୍ତ୍ରୀଙ୍କ ସହ ଲିଙ୍କ ଥିବା ଚର୍ଚ୍ଚା ହେଉଛି।  କିଛି ଦିନ ପୂର୍ବରୁ ପୂର୍ବତନ ବାଚସ୍ପତି, ଏବେକାର ଆଇନ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଉଠିଥିବା ଫଟୋ ସବୁ  ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ ତେଜିଛି ରାଜନୀତି । ଏପରିକି ଯେଉଁମାନେ ହସହସ ମୁହଁରେ ଅର୍ଚ୍ଚନାଙ୍କ ସହ ଫଟୋ ପୋଜ ଦେଇଛନ୍ତି ସେମାନେ ଏବେ ତାଙ୍କୁ ଚିହ୍ନି ନ ଥିବା କହୁଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।