ବିଜେପିର ଧମକ; ଅଚଳ କରିଦେବୁ ବିଏମସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପରିଚାଳନାକୁ ନେଇ ସରକାର ଏବଂ ବିଏମସି ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପିର ମୁଖପାତ୍ର ଦିଲ୍ଲୀପ ମହାନ୍ତି। କହିଛନ୍ତି, ଭୁବନେଶ୍ୱରର ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ସ୍ଥାନୀୟ ପ୍ରଶାସନ ସେହି ଅଞ୍ଚଳକୁ ତିନି ଚାରି ଦିନ ସିଲ୍ କରି ଦେଉଛନ୍ତି। ତା’ପରେ ହାତ ଧୋଇକି ବସି ପଡ଼ୁଛନ୍ତି। ବସ୍ତି ଅଞ୍ଚଳରୁ କରୋନା ରୋଗୀ ଚିହ୍ନଟ ହେବା ପରେ ସଙ୍ଗେ ସଙ୍ଗେ ସେହି ଅଞ୍ଚଳକୁ ସାନିଟାଇଜ କରନ୍ତୁ। ଏହାସହ ବସ୍ତିରେ ମାସ୍କ ଓ ସାନିଟାଇଜର ବାଣ୍ଟନ୍ତୁ,  ନ ହେଲେ ନେଡ଼ି ଗୁଡ଼ କୁହୁଣୀକୁ ବୋହିଯିବ।

ଏଥିସହ ବିଜେପିର ମୁଖପାତ୍ର ଦିଲ୍ଲୀପ ମହାନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ଆଣି ବିଏମସିର ଉଦାସୀନତା ଏବଂ ଟାଳଟୁଳ ନୀତିକୁ  ସମାଲୋଚନା କରିଛନ୍ତି। କହିଛନ୍ତି, ମହାନଗର ଅଞ୍ଚଳରେ ୨୧ ହଜାର ୪୮୩ ଉଠାଦୋକାନୀ ଓ ବୁଲାବେପାରୀ ରହିଛନ୍ତି। ଏହି ସମସ୍ତ ବୁଲା ବିକାଳୀଙ୍କୁ ଇ-ରେଜିଷ୍ଟ୍ରସନ କରିବାକୁ କୁହାଯାଉଛି, ଯାହା ଅସମ୍ଭବ। ବିଏମସିର ୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କାହିଁକି  ସେମାନଙ୍କର ପଞ୍ଜୀକରଣ କରାଯାଉନାହିଁ? ମୋଦି ସରକାର ପ୍ରଶଂସା ପାଇବେ ବୋଲି ଆଶଙ୍କା କରି ଏହି ଯୋଜନାରେ ଟାଳଟୁଳ ନିତୀ ଅବଲମ୍ବନ କରାଯାଉଛି।

ସେ ଆହୁରି କହିଛନ୍ତି ଯେ,  ଯଦି ସରକାର ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା ନ କରନ୍ତି , ତାହାହେଲେ ବିଏମସିକୁ ଅଚଳ କରି ଦିଆଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।