ଆସନ୍ତାକାଲିଠାରୁ ବିଜେପିର ଜନକଲ୍ୟାଣ ଯାତ୍ରା

janakalyanaଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ବିଜେପି ଆସନ୍ତାକାଲିଠାରୁ ଆରମ୍ଭ କରୁଛି ଜନକଲ୍ୟାଣ ଯାତ୍ରା। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରୁ ଏହି ଯାତ୍ରା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧୭ଟି ସାଂଗଠନିକ ଜିଲ୍ଲାକୁ ଏହି ଜନକଲ୍ୟାଣ ଯାତ୍ରାରେ ସାମିଲ କରାଯାଇଛି। ଏପ୍ରିଲ୍ ୨୪ ତାରିଖରେ କେନ୍ଦୁଝରରେ ଏହା ଶେଷ ହେବ। ବୁଧବାର ବିଜେପିର ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାଧାରଣ ସଂପାଦକ ସମୀର ମହାନ୍ତି।

ସେ କହିଛନ୍ତି,“ଜନକଲ୍ୟାଣ ଯାତ୍ରାରେ ଦଳର ରାଜ୍ୟର ସମସ୍ତ ପ୍ରମୁଖ ନେତାମାନେ ଯୋଗ ଦେବେ। ଏ ଯାତ୍ରା ଯେଉଁ ଅଞ୍ଚଳ ଦେଇ ଯିବ ସେ ଅଞ୍ଚଳର ଦଳୀୟ କର୍ମକର୍ତ୍ତାମାନେ ଏଥିରେ ସାମିଲ ହେବେ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଅଭାବ, ଅସୁବିଧା ସଂପର୍କରେ ନେତୃବର୍ଗଙ୍କୁ ଅବଗତ କରିବେ। ଜନକଲ୍ୟାଣ ଯାତ୍ରାରେ ସାମିଲ ନେତାମାନେ ଯେଉଁ ଅଞ୍ଚଳକୁ ଯିବେ ସେ ଅଞ୍ଚଳର ଲୋକଙ୍କ ସହିତ ମିଶିବେ, ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବେ।”

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଦଳର ଅନ୍ୟତମ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,“ଏହି ଯାତ୍ରା ସମୟରେ ରାଜ୍ୟ ସରକାରଙ୍କ ଅପାରଗତା, ଜନବିରୋଧୀ ନୀତି ଓ ଦୁର୍ନୀତି ସଂପର୍କରେ ଲୋକଙ୍କୁ ଅବଗତ କରାଯିବ। ଏନେଇ ବିଜେପିର ଲଢ଼େଇ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଡାକ୍ତରଖାନା, ସ୍କୁଲ୍, ଜଳସେଚନରେ ଆମର ଅନେକ ସମସ୍ୟା ରହିଛି। ଏହି ଯାତ୍ରା ବେଳେ ସଭାପତି ନିଜେ ଏହି ସମସ୍ୟାଗୁଡ଼ିକୁ ଦେଖିବେ ଏବଂ ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବରେ ଆମେ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ପକାଇବୁ।”

ସେ କହିଥିଲେ,“ଜନକଲ୍ୟାଣ ଯାତ୍ରାର ଦ୍ୱିତୀୟ ଉଦ୍ଦେଶ୍ୟଟି ହେଉଛି କେନ୍ଦ୍ର ସରକାର ଯେଉଁ ସବୁ ଜନହିତକର ଯୋଜନା ସବୁ କାର୍ଯ୍ୟକାରୀ କରୁଛନ୍ତି, ତାହାକୁ ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କ ପାଖରେ ପହଞ୍ଚାଇବା।”

ପୃଥ୍ୱୀରାଜ କହିଥିଲେ ଯେ ଆସନ୍ତାକାଲି ‘ଆଗେଇବ ଓଡ଼ିଶା’ ନାରା ନେଇ ବିଜେପି ପକ୍ଷରୁ ଜନକଲ୍ୟାଣ ଯାତ୍ରା ଆରମ୍ଭ କରାଯିବ। ଦେଶରେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ।