ରାଜ୍ୟ ବିଜେପିର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପୋଷ୍ଟର କ୍ୟାମ୍ପେନ୍ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଜେପି ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପୋଷ୍ଟର କ୍ୟାମ୍ପେନ୍ ଆରମ୍ଭ କରିଛି। ନବନିଯୁକ୍ତ ସଭାପତି ବସନ୍ତ ପଣ୍ଡା ଆଜି ଭୁବନେଶ୍ୱରରେ ଏହାର ଶୁଭାରମ୍ଭ କରିଛନ୍ତି। ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ହିତାଧିକାରୀଙ୍କୁ ଟଙ୍କାକରେ ଚାଉଳ ବଣ୍ଟାଯାଉଛି। ଏଥିପାଇଁ ହେଉଥିବା ଖର୍ଚ୍ଚରୁ ୨୭ ଟଙ୍କା କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ଦେଉଛନ୍ତି। ହିତାଧୀକାରୀ ଦେଉଛନ୍ତି ୧ ଟଙ୍କା। ତେବେ ପ୍ରକୃତ ହିତାଧିକାରୀଙ୍କ ବଦଳରେ ଶାସକ ଦଳର ନେତା ଓ କର୍ମୀଙ୍କ ନାଁରେ ରାସନ କାର୍ଡ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ଏ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପୋଷ୍ଟର କ୍ୟାମ୍ପେନ ଆରମ୍ଭ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ପ୍ରତି ଗାଁକୁ ଯାଇ ପୋଷ୍ଟର ଦ୍ୱାରା ଓ ପଥପ୍ରାନ୍ତ ସଭା କରି ଲୋକଙ୍କୁ ଜଣାଇବୁ ମୋଦି ସରକାର କିପରି ୨୭ ଟଙ୍କା ୩୮ ପଇସା ଦେଇ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, କେନ୍ଦ୍ର ସରକାର ଏହି ଯୋଜନା କରିଥିବାରୁ ସମସ୍ତ ଖର୍ଚ୍ଚ ବହନ କରିବା ଦରକାର। ଗତ ନିର୍ବାଚନରେ ବିଜେପି ତରଫରୁ ବହୁ ପୋଷ୍ଟର ମରାଯାଇଥିଲା। ସେଥିରେ ଓଡ଼ିଶା ସରକାର କିଛି କାମ କରୁ ନ ଥିବା କହିଲେ। ଲୋକେ ବୁଝିକି ତାଙ୍କ ନିଷ୍ପତ୍ତି ଗତ ନିର୍ବାଚନରେ ଜଣାଇ ସାରିଛନ୍ତି।