ମୁଁ ଅପାରଗ ଓ ଅଯୋଗ୍ୟ ଭାବି ବୋଧହୁଏ ଶାହାଙ୍କ କାର୍ଯ୍ୟକ୍ରମକୁ ଡାକିଲେନି: କ୍ଷୋଭ ପ୍ରକାଶ କରି ବିଜେପିକୁ ବିଜୟଙ୍କ କଟାକ୍ଷ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ ସମୟରେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଦେଖା ମିଳିନଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଶାହା ଯିବାର ଦୁଇ ଦିନ ପରେ ଆଜି ମୁହଁ ଖୋଲିଛନ୍ତି ବିଜୟ ମହାପାତ୍ର।

ସେ କହିଛନ୍ତି-“ଯେଉଁମାନଙ୍କର ଦକ୍ଷତା ଥିଲା ସେମାନଙ୍କୁ ଶାହାଙ୍କ କାର୍ଯ୍ୟକ୍ରମକୁ ଡକାଯାଇଛି। ମୁଁ ଅପାରଗ ଓ ଅଯୋଗ୍ୟ ଭାବି ବୋଧହୁଏ ମୋତେ ଡାକିଲେନି।”

ରାଜ୍ୟ ସଭାପତିଙ୍କ ରିପୋର୍ଟକୁ ନେଇ ବିଜୟ କହିଲେ-“ଯେଉଁମାନେ ଅଯୋଗ୍ୟ ସେମାନଙ୍କ ବିରୋଧରେ ରିପୋର୍ଟ ଦିଆଯାଏ।”

ତିନି ଦିନିଆ ଓଡ଼ିଶା ଗସ୍ତ ସମୟରେ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେପି ୧୨୦ ସିଟ୍ ପାଇବ ବୋଲି ଅମିତ୍ ଶାହଙ୍କ ଦୃଢ଼ୋକ୍ତି କରିଥିଲେ। ଏନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ବିଜୟ କହିଛନ୍ତି-“୧୨୦ ସିଟ୍ ପାଇବା କଥା ଜାଣିନି। ତାଙ୍କ ପାଖେ ରିପୋର୍ଟ ଥିବ। ବିଜୁ ବାବୁଙ୍କ ବେଳେ କଂଗ୍ରେସ ବିରୋଧରେ ହୋଇଥିବା ବଡ଼ ଲଢ଼େଇରେ ମୋ ଭୂମିକା ବହୁତ ଥିଲା। ଏବେ ଯିଏ ଯୋଗ୍ୟ ଓ ଦକ୍ଷ କହିପାରିବେ। ଦଳରେ କଣ ଚାଲିଛି, କିଏ ନିଷ୍ପତ୍ତି ନେଉଛି ମୁଁ  କିଛି ଜାଣିନି।”

ବିଜୟଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି-“ପୂର୍ବରୁ ସେ(ବିଜୟ) ଦଳକୁ ସମାଲୋଚନା କରିଥିଲେ। ତେଣୁ ସଭାପତି ଲେଖିଥିଲେ। ତେବେ ଶାହାଙ୍କ ୧୨୦ ସିଟ୍ ମନ୍ତବ୍ୟ ଉପରେ ପ୍ରଶ୍ନବାଚୀ ଦଳବିରୋଧୀ କଥା ବୋଲି ଧରାଯିବ। ଦଳର ଏକ ଟିମ୍ ନିଷ୍ପତ୍ତି ନିଏ, କମିଟି କାର୍ଯ୍ୟକାରୀ କରେ। ଟିମ୍‌ ସଦସ୍ୟ ହୋଇ ଏଭଳି ମନ୍ତବ୍ୟରୁ ନିବୃତ ରହିବା ପାଇଁ ବିଜୟଙ୍କୁ ସେ ପରାମର୍ଶ ଦେଇଛନ୍ତି।”