ରାଉରକେଲା: ଆଜିଠାରୁ ରାଉରକେଲାରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିବା ବେଳେ ଦଳର କିଛି ବରିଷ୍ଠ ନେତାଙ୍କ ଅନୁପସ୍ଥିତି ନେଇ ଚର୍ଚ୍ଚା ଜୋର ଧରିଛି। ବରିଷ୍ଠ ନେତା ବିଜୟ ମହାପାତ୍ର, ବିଧାୟକ ଦିଲ୍ଲୀପ ରାୟ, ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ଓ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ଏଥିରେ ଯୋଗ ଦେଇ ନାହାନ୍ତି।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବିଧାୟକ ହୋଇ ମଧ୍ୟ ଦିଲ୍ଲୀପ କାର୍ଯ୍ୟକାରିଣୀରେ ଯୋଗ ନ ଦେବା ନେଇ ଜୋରସୋର ଚର୍ଚ୍ଚା ହେଉଛି। ପୂର୍ବରୁ ରାଉରକେଲାରେ ଅନୁଷ୍ଠିତ ବିଜେପିର ବିକାଶ ଉତ୍ସବରେ ଯୋଗ ନ ଦେଇ ଦିଲ୍ଲୀପ ଦଳ ପାଇଁ ଅଡୁଆ ସୃଷ୍ଟି କରି ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାଲେଶ୍ୱର ସମାବେଶ ବେଳେ ବିଜୟ, ଦିଲ୍ଲୀପ ଓ କନକବର୍ଦ୍ଧନଙ୍କୁ ଅଭିଭାଷଣ ଦେବାକୁ ସୁଯୋଗ ନ ମିଳିବା ପରେ ଦଳ ଭିତରେ ସବୁ କିଛି ଠିକ୍ ଚାଲି ନାହିଁ ବୋଲି ଜଣାପଡ଼ିଥିଲା। ଆଉ ଆଜି ଦଳୀୟ ରାଜ୍ୟ କାର୍ଯ୍ୟକାରିଣୀରେ ଏହି ନେତାମାନେ ଯୋଗ ନ ଦେବା ଫଳରେ ବିଜେପିରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ପୁଣି ପଦାକୁ ଆସିଛି।
ମିଳିଥିବା ସୂଚନା ଅନୁସାରେ ଜୟନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ଥିବାରୁ ସେ ଅନୁପସ୍ଥିତ ରହିଥିବା ବେଳେ କନକ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦିଲ୍ଲୀପ ଗ୍ୟାଙ୍ଗଟକ୍ ଗସ୍ତରେ ଯାଇଛନ୍ତି ଓ ବିଜୟ ମହାପାତ୍ର ବ୍ୟକ୍ତିଗତ କାରଣରୁ ଯୋଗ ଦେଇ ନ ଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।