ବିଜେପି କର୍ମୀଙ୍କୁ ନୂଆ ସଭାପତିଙ୍କ ଆହ୍ୱାନ: ମିଳିମିଶି କାମ କରିବା, ନବୀନ ସରକାରକୁ ହଟାଇବା

BASANT panda
ରାଜ୍ୟ ବିଜେପିର ନୂଆ ସଭାପତି ବସନ୍ତ ପଣ୍ଡା

ଭୁବନେଶ୍ୱର: ବିଜେପିର ସମସ୍ତ କର୍ମକର୍ତ୍ତାଙ୍କ ଲକ୍ଷ୍ୟ ଏକ। ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ। ଏବଂ ରାଜ୍ୟର ଅପାରଗ ଓ ଅତ୍ୟାଚାରୀ ନବୀନ ସରକାରଙ୍କୁ ଗାଦଚ୍ୟୁତ କରିବାକୁ ହେବ। ଗୁରୁବାର ରାଜ୍ୟ ବିଜେପିର ନୂଆ ସଭାପତି ହୋଇଥିବା ବସନ୍ତ ପଣ୍ଡା ଦେଇଛନ୍ତି ଏହି ଆହ୍ୱାନ। ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ତାଙ୍କ ନାଁକୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସେ ଦଳୀୟ ନେତା ଓ କର୍ମୀଙ୍କୁ ଦେଇଥିଲେ ଏହି ଆହ୍ୱାନ। ଏହା ସହିତ କେନ୍ଦ୍ରର ମୋଦି ସରକାରଙ୍କ ଜନହିତକର ଯୋଜନାଗୁଡ଼ିକ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଉପରେ ମଧ୍ୟ ଜୋର୍ ଦେଇଛନ୍ତି।

ସେ କହିଥିଲେ,‘ମୁଁ ଦଳର ବିଭିନ୍ନ ନେତାଙ୍କ ସହିତ କାମ କରିଛି। ବିଭିନ୍ନ ପଦପଦବୀର ବି କାର୍ଯ୍ୟ କରିଛି। ମୁଁ ଜିଲ୍ଲା ସଂପାଦକ, ସାଧାରଣ ସଂପାଦକ, ସଭାପତି, ରାଜ୍ୟ ଉପ-ସଭାପତି, ସାଧାରଣ ସଂପାଦକ, କାର୍ଯ୍ୟନିର୍ବାହୀ ସଦସ୍ୟ, ଜାତୀୟ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିଛି। ଦଳ ମୋତେ ବିଧାୟକ ଦଳ ନେତା ପଦବୀ ମଧ୍ୟ ଦେଇଛି। ଏ ସବୁ ଦାୟିତ୍ୱକୁ ମୁଁ ତୁଲାଇଛି। ଏବେ ଦଳ ମୋତେ ବଡ଼ ଦାୟିତ୍ୱଟେ ଦେଇଛି। ତେବେ ଏ ଦାୟିତ୍ୱଟି କେବଳ ମୋର ନାହିଁ। ଆମ ସମସ୍ତଙ୍କର। ଆମ ସମସ୍ତଙ୍କୁ ଏକାଠି କାର୍ଯ୍ୟ କରିବାକୁ ପଡ଼ିବ।’

ଏକାଠି କାମ କରିବାର ଆହ୍ୱାନ ଦେଇ ବସନ୍ତ ପଣ୍ଡା କହିଥିଲେ, ‘ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା ଗୋଟିଏ ଲକ୍ଷ୍ୟରେ ଦୌଡୁଛନ୍ତି। ଆମ ସାମ୍ନାରେ ଅଛନ୍ତି କଂଗ୍ରେସ ଓ ବିଜେଡ଼ି। ଏ ଦୁଇ ଦଳ ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ଗାଁ ଗହଳିର ଗରିବ ଲୋକ, ଶ୍ରମିକ ଓ ଚାଷୀଙ୍କୁ ଶୋଷଣ କରିଛନ୍ତି। ଏ ଦୁଇ ଦଳର ଶାସନକାଳ ଗୋଟିଏ ଗୋଟିଏ କଳଙ୍କିତ ଅଧ୍ୟାୟ। ଶିକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନରୁ ଆଜି ସମାଜ ବଂଚିତ ହୋଇଛି। ସମାଜର ସେଇ ହକକୁ ଆମକୁ ପୂରଣ କରିବାକୁ ପଡ଼ିବ। ସେଥିପାଇଁ ଆମକୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ।’

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଚାଲିଥିବା ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଓଡ଼ିଶାର କୋଣଅନୁକୋଣରେ ଗାଁଗହଳିର ଲୋକେ ଏସବୁ ଯୋଜନା ସଂପର୍କରେ ଜାଣି ପାରୁ ନାହାନ୍ତି। ଆଗାମୀ ଦିନରେ ଆମକୁ ଏହି ସବୁ ଯୋଜନାଗୁଡ଼ିକୁ ରାଜ୍ୟର ୩୬ ହଜାର ବୁଥରେ ପହଞ୍ଚାଇବାକୁ ହେବ। ୯୯୯ ମଣ୍ଡଳ ଓ ୫୦ ହଜାର ଗାଁକୁ ପହଞ୍ଚାଇବାକୁ ହେବ। ୩୬ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ମାଧ୍ୟମରେ ଏଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା। ମୁଁ କେବଳ ଆପଣଙ୍କ ପାଖରେ ପହଞ୍ଚି ଆପଣମାନଙ୍କୁ ପ୍ରୋତ୍ସାହିତ କରିବି। ଆମକୁ ମିଳିମିଶି କାମ କରିବାକୁ ପଡ଼ିବ।‘

ସେ କହିଥିଲେ, ‘ଆମକୁ ଗରିବ, ଚାଷୀ, ଅବହେଳିତ ଲୋକଙ୍କ ସ୍ୱର ହେବାକୁ ପଡ଼ିବ। ଏକ ସ୍ୱରରେ ଆମକୁ ନବୀନ ସରକାରର ଶାସନକୁ ମୂଳପୋଛ କରିବାକୁ ହେବ। ତୀବ୍ର ଆନ୍ଦୋଳନ କରିବା ପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିବ। ଓଡ଼ିଶା ବାସୀଙ୍କ ସୁଖ ଓ ଦୁଃଖରେ, ଅଭାବରେ, ଅସୁବିଧାରେ ସବୁ ବେଳେ ସାଥୀ ହୋଇ ରହିବା। ଅବହେଳା ଓ ଅତ୍ୟାଚାର କରି ଚାଲିଥିବା ନବୀନ ସରକାର ବିରୁଦ୍ଧରେ ଜନଆନ୍ଦୋଳନ ସୃଷ୍ଟି କରିବା।’

ସମ୍ବର୍ଦ୍ଧନା ଉତ୍ସବରେ ବସନ୍ତ ପଣ୍ଡା କହିଥିଲେ ଯେ ଦଳ ତାଙ୍କ ଉପରେ ଯେଉଁ ଆଶା ଓ ବିଶ୍ୱାସ ରଖିଛି, ତାହାକୁ ସେ ଭାଙ୍ଗିବାକୁ ଦେବେ ନାହିଁ। ଏଥିପାଇଁ ସେ ଉଦ୍ୟମ କରିବେ। ଏଥିପାଇଁ ସେ ପ୍ରତିଶ୍ରୁତିବଦ୍ଧ। ସେହିପରି ସମସ୍ତେ ତାଙ୍କୁ ରାଜ୍ୟ ସଭାପତି ପଦ ପାଇଁ ଆକୁଣ୍ଠ ସମର୍ଥନ କରିଥିବାରୁ ସେ ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ।

ସହମତି ଭିତ୍ତିରେ ସଭାପତି ଭାବେ ବସନ୍ତଙ୍କ ନାଁରେ ଦଳ ମୋହର ବାଜିଛି। ତେବେ ସମ୍ୱର୍ଦ୍ଧନା ସଭାରେ ବହୁ ବରିଷ୍ଠ ବିଜେପି ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ପ୍ରକୃତରେ କ’ଣ ସହମତି ଭିତ୍ତିରେ ବସନ୍ତଙ୍କୁ ମନୋନୟନ କରାଯାଇଛି। ନାଁ କାହାର ଚାପରେ ଦଳ ଏପରି ନିଷ୍ପତ୍ତି ନେଇଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷ କରି କୋର କମିଟିର ୩ ପ୍ରମୁଖ ସଦସ୍ୟଙ୍କ ଅନୁପସ୍ଥିତି ଏହାକୁ ଖୋରାକ ଯୋଗାଇଛି।

ଆଜି ରାଜ୍ୟ ସଭାପତି ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ହୋଇଥିଲା। ଏଥିରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବସନ୍ତ ସଭାପତି ନିର୍ବାଚିତ ହେଲେ। ହେଲେ ଏହି ସମସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ବିଧାୟକ ଦିଲୀପ ରାୟଙ୍କୁ ଦେଖିବାକୁ ମିଳି ନ ଥିଲା। ଏମାନଙ୍କ ଅନୁପସ୍ଥିତିରୁ ନେଇ ପ୍ରଶ୍ନ ଉଠୁଛି ସତରେ କ’ଣ ରାଜ୍ୟ ବିଜେପିରେ ସବୁ ଠିକ୍ ଚାଲିଛି?