ବୟସ ୩୨, କିନ୍ତୁ ଗୋଡ଼ର ଓଜନ ୭୫ କେଜି!

ସହାୟତାରେ ହାତ ବଢ଼ାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ୱିତ ପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବକଙ୍କ ନାଁ ସନ୍ତୋଷ ବାରିକ। ବୟସ ୩୨ ବର୍ଷ। ହେଲେ ତାଙ୍କର ଗୋଟିଏ ଗୋଡ଼ର ଓଜନ ୭୦ରୁ ୭୫ କେଜି ହେବ! ଦିନକୁ ଦିନ ଗୋଡ଼ର ଆକାର ବଢ଼ୁଥିବାରୁ ସେ ଚାଲି ପାରୁନାହାନ୍ତି। ତାଙ୍କର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ୱିତ ପାତ୍ର। ଆଜି ସେ ସନ୍ତୋଷଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଆଙ୍କୁଲ ଗାଁର ଅଇଁଠୁ ବାରିକଙ୍କ ବଡ଼ପୁଅ ସନ୍ତୋଷ। ମ୍ୟାଟ୍ରିକ୍‌ ପଢ଼ିବା ପର୍ଯ୍ୟନ୍ତ ସେ ପ୍ରାୟତଃ ଠିକ୍‌ ଥିଲେ। ତେବେ ଗତ ୧୦ ତଳେ ସେ ଫାଇଲେରିଆରେ ଆକ୍ରାନ୍ତ ହେଲେ। ଯେଉଁଥିପାଇଁ ତାଙ୍କ ଡାହାଣ ଗୋଡ଼ ଫୁଲି ଗଲା ଓ ଜ୍ୱର ମଧ୍ୟ ହେଲା। ସେଥିରୁ ଉପଶମ ପାଇବା ପାଇଁ ସେ ବାଲୁଗାଁ ମେଡିକାଲ୍‌ ଯାଇଥିଲେ। ସେଠାରୁ ଔଷଧ ଖାଇଥିଲେ ମଧ୍ୟ ଜ୍ୱର ଭଲ ହୋଇନଥିଲା। ପରେ ସନ୍ତୋଷ ପୁରୀରୁ ଆୟୁର୍ବେଦକ ଔଷଧ ଖାଇଥିଲେ। ହେଲେ ଫାଇଲେରିଆ ଭଲ ହୋଇନଥିଲା। ଦେହରେ ଯନ୍ତ୍ରଣା ଧରି ସନ୍ତୋଷ ଏକ ସେଲୁନ୍‌ କରି ଚଳୁଥିଲେ। ଆଉ ପରିବାରକୁ ଚଳାଉଥିଲେ। ଏବେ କିନ୍ତୁ ତାଙ୍କ ଡାହାଣ ଗୋଡ଼ଟି ଫୁଲି ୭୦ରୁ ୭୫ କେଜି ହୋଇଯାଇଛି। ସେଥିପାଇଁ ସେ ଚାଲି ପାରୁ ନାହାନ୍ତି। ସନ୍ତୋଷ ଫାଇଲେରିଆର (ଗ୍ରେଡ ବି-୪)ରେ ଆକ୍ରାନ୍ତ ହୋଇଛନ୍ତି।

ଦିନକୁ ଦିନ ସନ୍ତୋଷଙ୍କ ଗୋଡ଼ର ଆକାର ବଢ଼ୁଥିବାରୁ ସେ ଚାଲି ପାରୁନାହାନ୍ତି। ଗୋଟିଏ ସ୍ଥାନରେ ସବୁବେଳେ ବସି ରହୁଛନ୍ତି। ଘରର ବଡ଼ ପୁଅର ଏପରି ଅବସ୍ଥା ଦେଖି ବାପା ଅଇଁଠି ବାରିକ ବିଚଳିତ ହୋଇପଡ଼ିଥିଲେ। ପୁଅକୁ ଚିକିତ୍ସା କରିବା ପାଇଁ ବହୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏପରିକି ରାଜ୍ୟ ସରକାରଙ୍କୁ ମଧ୍ୟ ସେ ନିବେଦନ କରିଥିଲେ। ତେବେ ଜାନୁଆରୀ ୨୬ ତାରିଖରେ ଆୟୋଜିତ ଜନ ସମ୍ପର୍କ ଯାତ୍ରା ସମୟରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ୱିତ ପାତ୍ରଙ୍କୁ ସନ୍ତୋଷଙ୍କ ବାପା-ମାଆ ଅନୁରୋଧ କରିଥିଲେ। ଏହା ପରେ ଡକ୍ଟର ପାତ୍ର ପୁଅର ଚିକିତ୍ସା ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପ୍ରତିଶ୍ରୁତି ମୁତାବକ ଡକ୍ଟର ପାତ୍ର ଆଜି ଆଙ୍କୁଲା ଗାଁରେ ପହଞ୍ଚିଥିଲେ। ସେଠାରୁ ସନ୍ତୋଷଙ୍କୁ ଆମ୍ୱୁଲାନ୍ସରେ ଆଣି ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରିଛନ୍ତି ସମ୍ୱିତ। ଏମ୍‌ସରେ ସନ୍ତୋଷଙ୍କୁ ବର୍ଷେରୁ ଅଧିକ ସମୟ ଧରି ଚିକିତ୍ସା କରାଯିବ। ଫାଇଲେରିଆର ଗ୍ରେଡ୍ ବି-୪ ବିଭିନ୍ନ ପର୍ଯ୍ୟାୟରେ ୧୦ରୁ ଅଧିକ ଥର ଅପରେଶନ୍‌ କରାଯିବ। ଦିଲ୍ଲୀ ଏମ୍‌ସରୁ ଡାକ୍ତର ଆସି ତାଙ୍କୁ ଅପରେଶନ୍‌ କରିବେ ବୋଲି ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।