‘ସ୍କୁଲ ବନ୍ଦ ନିଷ୍ପତ୍ତି ଭୟଙ୍କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ରାଜ୍ୟରେ କରୋନା କମ୍‌ବ୍ୟାଙ୍କ କରୁଥିବା ବେଳେ ଓଡ଼ିଶା ସରକାର ଯଥାସମ୍ଭବ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି ସ୍ଥିତିରେ ଛୋଟ ଛୋଟ ଛୁଆଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସରକାର ସମଗ୍ର ରାଜ୍ୟରେ ୯ ହଜାର ସ୍କୁଲ ବନ୍ଦ କରିଛନ୍ତି। ମାତ୍ର ଏହାଦ୍ୱାରା ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୟଙ୍କର ବୋଲି କହିଛି ବିଜେପି।  ଏହା ସହ ଯଦି ସରକାର ସଠିକ୍ ନିଷ୍ପତ୍ତି ନ ନେବେ ଆଗାମୀ ଦିନରେ ସମସ୍ତ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି ଦଳ।

ବିଜେପି ପକ୍ଷରୁ କୁହାଯାଇଛି ଯେ, ପ୍ରତିବର୍ଷ ୧୧ ଲକ୍ଷ ପିଲା ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଉଥିବା ବେଳେ ୧୦ମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ପିଲା।  ସେଥିମଧ୍ୟରୁ ୬ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ୁଥିବା ଜଣାଯାଇଛି।  ତେବେ ସରକାର ଏ ସବୁ ତଥ୍ୟ ଲୁଚାଉଛନ୍ତି। ଏହା ସହ ସ୍କୁୁଲ ବନ୍ଦ ଯୋଗୁ ଅଧାରୁ ସ୍କୁଲ ଛାଡ଼ିବା ହାର ୮୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛି ଦଳ।

ତେଣୁ ସରକାର ତୁରନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦଳ ଚେତାବନୀ ଦେଇଛି। ଏଥିପାଇଁ ଦଳ ୧୫ ଦିନ ସମୟ ଦେଇଛି। ଏନେଇ ଯଦି ସରକାର ସଠିକ୍ ନିଷ୍ପତ୍ତି ନ ନେବେ ଆଗାମୀ ଦିନରେ ସମସ୍ତ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ଓ  ବିଜେପି କୋର୍ଟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି।

ଅନ୍ୟପଟେ ବିଜେପିର ଅଭିଯୋଗ ନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।