ବିଦା ହେବେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା!

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା କିଛିଦିନ ତଳେ ସିଡି ବିବାଦରେ ଫସି ଥିଲେ। ଏବେ ସେଇ ବିବାଦ ତାଙ୍କ ପାଇଁ କାଳ ହେବାକୁ ଯାଉଛି। ଏହି କାରଣରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବଦଳେଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ନବୀନ ପରୋକ୍ଷରେ ମେୟରଙ୍କୁ ଇଙ୍ଗିତ ମଧ୍ୟ ଦେଇଥିବା ସୂଚନା ମିଳିଛି।

ଅନନ୍ତ ନାରାୟଣ ଜେନା କହିଛନ୍ତି,“ଦଳର ମୁଁ ଜଣେ ସାମାନ୍ୟ କର୍ମୀ। ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ମୁଁ ପାଳନ କରିବି।”

ଅନନ୍ତ ନାରାୟଣ ଜେନା ବିଦା ହେବା ପରେ କିଏ ହେବେ ନୂଆ ମେୟର, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ କୁହାଯାଉଛି ଅନନ୍ତଙ୍କର କେହି ଘନିଷ୍ଠ ମେୟର ଚୌକିରେ ବସିପାରନ୍ତି। ଯାହାଙ୍କ ରିମୋଟ୍ ରହିବ ଅନନ୍ତଙ୍କ ହାତରେ। ରେସ୍‌ରେ ସଂଜୟ ସେଠୀ, ଦେବାଶିଷ ସିଟ୍, ମହାମାୟା ସ୍ୱାଇଁ, ବିନୟନୀ ଜେନା ଓ ବିରଞ୍ଚିନାରାୟଣ ମହାସୁପକାର ଥିବା ଶୁଣିବାକୁ ମିଳୁଛି।

ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ଭବିଷ୍ୟତରେ ଯେଉଁ ନେତାଙ୍କ ବିରୋଧରେ ଅଭିଯୋଗ ଆସିଛି ତାଙ୍କୁ ମୁଖ୍ୟମନ୍ତ୍ରୀ ହଟାଇଛନ୍ତି। ବିଏମ୍‌ସି ମେୟରଙ୍କ ବିରୋଧରେ ଯାହା ଅଭିଯୋଗ ଆସିଛି ମୁଖ୍ୟମନ୍ତ୍ରୀ ତାହା ଉପରେ ତର୍ଜମା କରୁଛନ୍ତି। ଏହା ଉପରେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।”