ଚିଲିକାରେ ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଆଉ ଜଣଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ଖୋର୍ଦ୍ଧା(ବଳରାମ ଲେଙ୍କା): ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ଜଣ ଯୁବତୀ ଓ ଜଣେ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ୫୦ ଜଣ ଅଗ୍ନିଶମ କର୍ମଚାରୀ ସର୍ଚ୍ଚ ଅପରେସନ୍‌ରେ ନିୟୋଜିତ ହୋଇଛନ୍ତି। ଏଥିସହ ୪୦ ଜଣିଆ ଓଡ୍ରାଫ୍‌ ଟିମ୍‌, ୬ ପାୱାର ବୋଟ୍‌ ଓ ୧୬ ଜଣ ବୁଡ଼ାଳି ସାମିଲ ହୋଇଥିବା ଚିଫ୍‌ ଫାୟାର ଅଫିସର୍‌ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ନିଖୋଜ ୪ ଜଣଙ୍କୁ ଉଦ୍ଧାର ଲାଗି ଚାଲିଥିଲା ଉଦ୍ଧାରକାର୍ଯ୍ୟ। ସର୍ଚ୍ଚ ଅପରେସନରେ ଦମକଳ ବାହିନୀ ସହ ନୌସେନା, ଓଡ୍ରାଫ୍ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ। କାଲି ସଂଧ୍ୟାରେ ପର୍ଯ୍ୟଟକଙ୍କୁ ଧରି ଏକ ଡଙ୍ଗା କାଳିଜାଈରୁ ବାଲୁଗାଁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ହଠାତ୍ ଝଡ଼ବର୍ଷା ହେବାରୁ ମଝି ଚିଲିକାରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ନାଉରିଆକୁ ମିଶାଇ ମୋଟ୍ ୧୬ ଜଣ ଥିଲେ। ଉଦ୍ଧାର ହୋଇଥିବା ୧୨ ଜଣଙ୍କୁ ବାଲୁଗାଁ ହସ୍ପିଟାଲ୍‌ରେ ଭର୍ତ୍ତ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ନୟାଗଡ଼ ଓ ଭୁବନେଶ୍ୱରର ଅଞ୍ଚଳର ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଡଙ୍ଗାବୁଡ଼ି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟୁକୁ ତ୍ୱରାନ୍ୱିତ କରିବାକୁ SRC, ଖୋର୍ଦ୍ଧା ଓ ଗଞ୍ଜାମ ଜଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।