ଜାଈ ବୁଡ଼ିଥିଲା, ଆଜି ବୁଡ଼ିଗଲା ଶ୍ରଦ୍ଧାଞ୍ଜଳି

ବାଲୁଗାଁ/ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): କାଳିଜାଈ ଗଣ୍ଡରେ ଜଗିଥିଲା ମୃତ୍ୟୁ। ଭଉଁରୀ ଭିତରେ ଫଶିଗଲା ଜୀବନ। କୁନି ଝିଅ ଶ୍ରଦ୍ଧାଞ୍ଜଳି ମାଆଙ୍କୁ ଦର୍ଶନ କରି ବାପାଙ୍କ ସହ ଘରକୁ ଫେରୁଥିଲା। ହେଲେ କିଏ ଜାଣିଥିଲା। ସେ ଆଉ ଫେରିବନି ବୋଲି। ଆଜି ସଞ୍ଜରେ ଅଥଳ ଚିଲିକାରେ ଘଟିଥିବା ଡଙ୍ଗାବୁଡି ଘଟଣାରେ ୨ ଜଣ ସଲୀଳ ସମାଧି ନେଇଥିବା ବେଳେ ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ଦାସ। ୮ ବର୍ଷର ଛୋଟିଆ ଝିଅଟିଏ। ଏହି ମର୍ମନ୍ତୁଦ ଘଟଣା ପରେ ବାଲୁଗାଁ ଡାକ୍ତରଖାନାରେ ବାପା ତାର ତାକୁ ବାହୁନି ହେଉଛନ୍ତି। ମାଆ କାଳିଜାଈଙ୍କ କାହାଣୀରେ ଜାଈ ବୁଡିଯିବା ଭଳି ଆଜି ତାଙ୍କ ଝିଅ ବୁଡିଯାଇଛି ବୋଲି ବାହୁନି ବାହୁନି କହୁଛନ୍ତି ରବିନାରାୟଣ ଦାସ।

ମୃତ ଶ୍ରଦ୍ଧାଞ୍ଜଳି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ରବିନାରାୟଣଙ୍କ ଝିଅ। ଏହି ଡଙ୍ଗାବୁଡି ପରେ ଏବେ ୧୨ ଜଣ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନିଖୋଜ ଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲେ ବି ମିଳିପାରିନି ତାଙ୍କ ପରିଚୟ। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ତଲାସି ଅଭିଯାନ ଜାରି ରହିଛି।

ଭୁବନେଶ୍ୱର ଓ ନୟାଗଡ଼ ରଣପୁର ଅଞ୍ଚଳର ୧୫ ଜଣ ପର୍ଯ୍ୟଟକ ଆଜି କାଳିଜାଈଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କୁ ଦର୍ଶନ କରି ଅପରାହ୍ନ ୫ରୁ ସାଢ଼େ ୫ଟା ଭିତରେ ସେମାନେ ଏକ ଡଙ୍ଗାରେ ବାଲୁଗାଁ ଅଭିମୁଖେ ଫେରୁଥିଲେ। ତେବେ ମଝି ଚିଲିକାରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିଥିଲା। ଅତର୍କିତ ବର୍ଷା ହେବାରୁ ମଙ୍ଗ ସମ୍ଭାଳି ପାରିଲେନି ନାଉରିଆ। ଅଥଳ ପାଣିରେ ନାଆ ଟଳମଳ ହୋଇ ବୁଡ଼ିଗଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୧୩ ଜଣଙ୍କୁ ଉଦ୍ଧାର କରି ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଶ୍ରଦ୍ଧାଞ୍ଜଳି ଦାଶ ନାମକ ଜଣେ ନାବାଳିକାକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ, ନୌସେନା, ପୋଲିସ ଓ ମତ୍ସ୍ୟଜୀବୀମାନେ ଲାଗିଛନ୍ତି।

ନ୍ୟୁଜ ଲେଖାହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।