ଗତକାଲିଠୁ ନିଖୋଜ ଥିଲେ ଯୁବକ, ଆଜି ମିଳିଲା ରକ୍ତାକ୍ତ ମୃତଦେହ

ସୋର (ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରୁ ବଜାର ବୁଲିବାକୁ ଯାଇ ନିଖୋଜ ଥିଲେ ଜଣେ ଯୁବକ। ହେଲେ ଆଜି ମିଳିଛି ତାଙ୍କ ରକ୍ତାକ୍ତ ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଦଣ୍ଡକାଳୀ ମନ୍ଦିର ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ଅଭୟ ପଣ୍ଡା।

୮ ଦିନ ତଳେ ଅଭୟଙ୍କର ଗାଁର ୪ ଜଣଙ୍କ ସହିତ ଝଗଡ଼ା ହୋଇଥିଲା। ପରେ ଗାଁରେ ଭଦ୍ର ଲୋକଙ୍କ ଉପସ୍ଥିତରେ ବୁଝାସୁଝା ହୋଇଥିଲା। ଗତକାଲି ସନ୍ଧ୍ୟାରେ ଅଭୟ ବଜାରକୁ ବୁଲିବାକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ସବୁଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପରେ ପରିବାର ଲୋକ ଅଭୟ ନିଖୋଜ ଥିବା ନେଇ ଗତକାଲି ରାତିରେ ଥାନାରେ ଅଭିଯୋଗ କରିଥିଲେ।  କିନ୍ତୁ ଆଜି ଭୋର ସମୟରେ ଜାତୀୟ ରାଜପଥ ନିକଟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଅଭୟଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।