ବଲାଙ୍ଗିର ପଟୁ ଖୋର୍ଦ୍ଧାକୁ ରେଳପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର: ପ୍ରାୟ ୭୦ ବର୍ଷର ଟଣାଓଟଣା ପରେ, ବାସ୍ତବତାର ରୂପ ନେବାକୁ ଯାଉଛି ବଲାଙ୍ଗିର-ଖୋର୍ଦ୍ଧା ରେଲ୍ ଲାଇନ୍। ୧୯୪୫ରେ ହୋଇଥିବା ଏହି ପରିକଳ୍ପନା ୨୦୨୧ ମସିହା ସୁଦ୍ଧା ବାସ୍ତବ ରୂପ ନେବା ନେଇ ଆଶା ସଂଚାର ହୋଇଛି। ଖୋର୍ଦ୍ଧା ପଟୁ ବେଗୁନିଆ ପର୍ଯ୍ୟନ୍ତ ରେଲ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଏବେ ବଲାଙ୍ଗିର ପଟୁ କାମ ଆରମ୍ଭ ହୋଇଛି। ପୁଇଁନ୍ତଳାରୁ ଭଇଁଷାପାଲି ପର୍ଯ୍ୟନ୍ତ ଏହି ୧୯ କି.ମି. ରେଳ ଲାଇନ କାମ ଲାଗି ଆଜି ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।bolangir-relway

ଏହି ୧୯ କି.ମି. ରେଳ ଲାଇନ କାମ ଲାଗି ୱାର୍କ ଅରର୍ଡ ମିଳିବା ପରେ କାମ ଆରମ୍ଭ ନେଇ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଜି ବଲାଙ୍ଗିର ଗସ୍ତରେ ଆସିଥିବା ଇଷ୍ଟକୋଷ୍ଟ ରେଲୱେ ଜେନେରାଲ୍ ମ୍ୟାନେଜର ରାଜୀବ ବିଷୋଇ କାମ ଆରମ୍ଭ ନେଇ ସ୍ପଷ୍ଟ କରିବା ପରେ ବଲାଙ୍ଗିର ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ଜିଏମଙ୍କ ଗସ୍ତ ପରେ ସାଂସଦ ସିଂଦେଓ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମୟରେ ତାଙ୍କ ପିତା ତଥା ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ।

ସାଂସଦ କଳିକେଶ ନାରାୟଣ ସିଂଦେଓ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ୨୫ ଡିସେମ୍ବରରୁ କାମ ଆରମ୍ଭ ଲାଗି ପଦକ୍ଷେପ ନିଆଯାଇଛି। ପୁଇଁନ୍ତଳାରୁ ଭଇଁଷାପାଲି ପର୍ଯ୍ୟନ୍ତ ଏହି ୧୯ କି.ମି. ପର୍ଯ୍ୟନ୍ତ କାମ ଲାଗି ୪୦ କୋଟି ଟଙ୍କାର ଟେଣ୍ଡର ହୋଇଛି। ଏହା ୨ବର୍ଷ ମଧ୍ୟରେ ଶେଷ ହେବ। ଖୋର୍ଦ୍ଧା–ବଲାଙ୍ଗିର ରେଳପଥ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଯେଉଁ ସ୍ୱପ୍ନ ଥିଲା ତାହା ଶୀଘ୍ର ପୂରଣ ହେବାକୁ ଯାଉଛି।bolangir-relway1

ସ୍ୱାଧୀନତା ପୂର୍ବରୁ ୧୯୪୫ ମସିହାରେ ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନର ପରିକଳ୍ପନା କରାଯାଇଥିଲା। ଅନେକ ଥର ସର୍ଭେ ହେବା ପରେ, ୧୯୯୪ରେ ୨୮୯ କି.ମି. ଲମ୍ୱର ଏହି ପ୍ରକଳ୍ପ ମଞ୍ଜୁରୀ ପାଇଥିଲା। ସେବେଠାରୁ ମନ୍ଥର ଗତିରେ କାମ ହେବା ଯୋଗୁଁ, ଆଜି ଯାଏ ଏହା ଶେଷ ହୋଇପାରିନାହିଁ। ୨୦୧୫ରେ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ବିଭାଗ ସହ ରାଜ୍ୟ ସରକାର ଚୁକ୍ତି କରିଥିଲେ। ପ୍ରକଳ୍ପ ଖର୍ଚ୍ଚକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଧା ଅଧା ବହନ କରିବେ।