ବମିଖାଲ ଓଭରବ୍ରିଜ ଦୁର୍ଘଟଣା ପାଇଁ ସରକାର ନିନ୍ଦିତ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବମିଖାଲ ଓଭରବ୍ରିଜ ଦୁର୍ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବରୁ ନିର୍ମାଣାଧୀନ ଓଭରବ୍ରିଜ୍ ଭୁଶୁଡି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ପୁଣି ଥରେ ଦୁର୍ଘଟଣା ଘଟିବା ଦୁଃଖଦାୟକ ବୋଲି ଧର୍ମେନ୍ଦ୍ର ଟୁଇଟ୍ କରି କହିଛନ୍ତି। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେହିପରି ଘଟଣାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଟୁଇଟ୍ କରିଛନ୍ତି। ସେ କହିଛନ୍ତି,“ଏଭଳି ଦୁର୍ଘଟଣାରୁ ସରକାରରେ ଥିବା ଅବ୍ୟବସ୍ଥା ସ୍ପଷ୍ଟ ବାରି ହୋଇପଡୁଛି। ଏହି ସରକାରର ଚିହ୍ନ ହେଉଛି ଦୁର୍ନୀତି ଓ ଅଯୋଗ୍ୟତା।”

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଦୁର୍ଘଟଣାରେ ମୃତାହତଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି। ବୈଜୟନ୍ତଙ୍କ  ଅଫିସ ପକ୍ଷରୁ ଏ ନେଇ ଟୁଇଟ୍ କରାଯାଇଛି। କୁହାଯାଇଛି ବାରମ୍ବାର ଘଟୁଥିବା ଏଭଳି ଘଟଣାରୁ ସମସ୍ତେ ଚିନ୍ତା କରିବା ଦରକାର ଯେ  ରାଜ୍ୟର ଶାସନ ବ୍ୟବସ୍ଥାରେ କ’ଣ ଚାଲିଛି ? ଧ୍ୟାନ କେଉଁଠି ରହୁଛି ? ଲୋକମାନେ ଏହାର ଉତ୍ତର ଚାହାନ୍ତି ବୋଲି ବୈଜୟନ୍ତ ପଣ୍ଡାଙ୍କ ଅଫିସ୍ ତରଫରୁ ଉଲ୍ଲେଖ କରାଯାଇଛି।