ଶିଶୁକନ୍ୟାର ଅଲୋଡ଼ା କାହାଣୀ: ଗଡୁଥିଲା ଜଙ୍ଗଲ ଭିତରେ

ବାରିପଦା: ପୁଣି ଅଲୋଡ଼ା ଶିଶୁକନ୍ୟା। ସବୁ ପ୍ରକାର ସାମାଜିକ ସଚେତନ ସତ୍ତ୍ୱେ ଆଜି  ବି ସେ ଅବହେଳିତ। ଶିଶୁକନ୍ୟାଟି ଜନ୍ମ ହେଲେ ବାପା ମାଆଙ୍କ ମୁଣ୍ଡରେ ପଡ଼ିଯାଉଛି ଚଡ଼କ । ସେଥିପାଇଁ କିଏ ତାକୁ ଖତ ଗଦାରେ ପୋତି ଦେଉଛି ତ, କିଏ ଡ୍ରେନର ଭସାଇ ଦେଉଛି, କିଏ ବୁଦା ମୂଳ ଓ କିଏ ଡାକ୍ତରଖାନା ବାରଣ୍ଡାରେ ଛାଡିଦେଉଛି। ବାରମ୍ବାର ଏପରି ଖବର ପଦାକୁ ଆସୁଛି। ଏପରି ଏକ ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଆଜି ଏଭଳି ଅଭିଯୋଗ ଆସିଛି ବାରିପଦାରୁ।

ବାରିପଦା ଉପକଣ୍ଠ ଶାଳବଣି ଜଙ୍ଗଲ ନିକଟ ଖୁରୁଣ୍ଟିଆ ବନ୍ଧରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଆଜି ସକାଳେ ଖୁରୁଣ୍ଟିଆ ବନ୍ଧ ନିକଟରେ ଏହି ଶିଶୁକନ୍ୟାଟି କାନ୍ଦୁଥିବା ଏକ ଦମ୍ପତି ଶୁଣିଥିଲେ। ପରେ ଶିଶୁଟିକୁ ଉଦ୍ଧାର  କରାଯାଇଥିଲା।

ତେବେ ସଂପୃକ୍ତ ଶିଶୁକନ୍ୟାଟି କାହାର ଓ କେଉଁ ପରିସ୍ଥିତିରେ ବନ୍ଧ ନିକଟକୁ ସେ ଆସିଲା ତାହା ସ୍ପଷ୍ଟ ହୋଇନାହିଁ। ଶିଶୁକନ୍ୟାଟି ଜନ୍ମହେବା ପରେ କେହି ତାକୁ ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି। ଏହି ନବଜାତଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ମୋରଡ଼ା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।