ଶିଶୁକୁ ଚେଙ୍କ ଦେବାରୁ ବାପାମାଆଙ୍କ ନାଁରେ ଏତଲା

ନବରଙ୍ଗପୁର(ସନ୍ତୋଷ କୁମାର ପଲ୍ଲାଇ): ଯେତେ ଯାହା କଲେ ମଧ୍ୟ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଯାଉନି। ଯୁଗ ଆଗେଇବା ସହ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ହେଲେ ଅନ୍ଧ ବିଶ୍ୱାସ ଦୂର ହେଉନାହିଁ। କେତେବେଳେ ମଣିଷକୁ ଗୁଣି ଗାରେଡି ସନ୍ଦେହରେ ମାରି ଦିଆଯାଉଛି ତ ଆଉ କେତେବେଳେ ରୋଗ ଭଲ ହେବା ପାଇଁ ଚେଙ୍କ ଦିଆଯାଉଛି। ଏନେଇ ସରକାରୀ ଓ ବେସକାରୀ ସଂସ୍ଥାରେ ଲୋକମାନଙ୍କୁ ସଚେତନ କରାଯାଉଛି। କିନ୍ତୁ କିଛି ଫଳପଦ ହେଉ ନାହିଁ। ଏହିପରି ସମାନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ।

ରୋଗ ଭଲ ହେବା ପାଇଁ ଏକ ୬ମାସର ଶିଶୁକୁ ଚେଙ୍କ ଦିଆଯାଇଛି। ଶିଶୁଟି ନିମୋନିଆରେ ପୀଡ଼ିତ ଥିବାବେଳେ ତା’ ଉପରେ ପୁଣି ଘାରିଛି ଚେଙ୍କ ଯାତନା। ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଖୁଟିଗୁଡ଼ା ଗାଁରେ।

ପରିବାର ଲୋକେ ଚୁଡ଼ିକୁ ଗରମ କରି ଶିଶୁର ପେଟ, ଜଙ୍ଘ ଓ ପାଦରେ ଚେଙ୍କ ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁର ବାପା ମାଆଙ୍କ ନାଁରେ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରାଯାଇଛି।

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି,“ ପିଲାଟିକୁ ନିମୋନିଆ ହୋଇଥିଲା। ବାପା ମାଆ ପିଲାଟିକୁ ହସପିଟାଲ ନ ନେଇ ଘରୋଇ ଚିକିତ୍ସା କରୁଥିଲେ। ପିଲାଟିର ସ୍ୱାସ୍ଥ୍ୟାବସ୍ଥାର କିଛି ପରିବର୍ତ୍ତନ ହୋଇ ନଥିଲା। ଘର ଲୋକଙ୍କ ପରାମର୍ଶକ୍ରମେ ବାପାମାଆ ଚୁଡ଼ି ଗରମ କରି ପିଲାଟିକୁ ୨୦ରୁ ୨୫ ଜାଗା ଚେଙ୍କ ଦେଇଛନ୍ତି।”