ବିନି ଦିଦିଙ୍କ ସାହସ ଆଗରେ ହାର ମାନୁଛି ଉଚ୍ଛୁଳା ନଈ, ହେଲେ କୁନି ପିଲାଙ୍କ କଥା …

ଢେଙ୍କାନାଳ(ରାଜଶ୍ରୀ ଶତପଥି):ଭରା ନଈ, ଉଚ୍ଛୁଳା ପାଣି। କେଉଁଠି ବେକେ ତ କେଉଁଠି ପାଟିଏ। ପାଦ ଖସିଗଲେ, ଜୀବନ ଶେଷ। ହେଲେ ସାପୁଆ ନଈରେ ପାଣି ଯେତେ ଥାଉ, ସୁଅ ଯେମିତି ପଡିଥାଉ, ଭ୍ୟାନିଟିକୁ ମୁଣ୍ଡ ଯାଏ ଟେକି ଧରି ବିନି ଦିଦି ଆରପଟେ ଥିବା ସ୍କୁଲ ଯିବାଟା ଥୟ। ବିନି ଦିଦିଙ୍କ ଭଲ ନାଁ ବିନୋଦିନୀ ସାମଲ। ଘର ଜରିପାଳ ଗାଁରେ। ଯାହାର ବିପରୀତ ପଟେ ରହିଛି ବିନିଦିଦିଙ୍କ କର୍ମକ୍ଷେତ୍ର ଢେଙ୍କାନାଳ

ରଥିଆପାଳ ଉଚ୍ଚପ୍ରାଥମିକ ସ୍କୁଲ। ଦୀର୍ଘ ୧୧ ବର୍ଷ ଧରି ନଈ ଆରପଟେ ଅପେକ୍ଷାରେ ଥିବା ପିଲାଙ୍କ ଜୀବନ ଗଢ଼ିବାକୁ ନିଜ ଜୀବନକୁ ବାଜି ଲଗାନ୍ତି ଦିଦି । ନଈ ପହଁରି ସ୍କୁଲ ଯାଆନ୍ତି । ସେଠି ୟୁନିଫର୍ମ ବଦଳାଇ କୁନି କୁନି ପିଲାଙ୍କ ସ୍ୱପ୍ନରେ ଡେଣା ଖଞ୍ଜିବାରେ ଲାଗିପଡ଼ନ୍ତି।

ରଥିଆପାଳ ୟୁପି ସ୍କୁଲରେ ୫୩ ପିଲା ପଢ଼ନ୍ତି । ତାଙ୍କୁ ନେଇ ତିନିଜଣ ଶିକ୍ଷକଶିକ୍ଷୟିତ୍ରୀ ବି ଅଛନ୍ତି । ହେଲେ ପିଲାଙ୍କଠୁ ଅଭିଭାବକ ଯାଏ ସମସ୍ତଙ୍କ ଭରସା ବିନି ଦିଦିଙ୍କ ଉପରେ । ତେଣୁ କର୍ତ୍ତବ୍ୟ ଯାହାଙ୍କ ପାଇଁ ଭଗବାନ, ସେଇ ବାଟରେ ବଢ଼ିବାକୁ ତାଙ୍କୁ ବା କେଉଁ ନଈର ସୁଅ ଅଟକେଇବ।  ତେବେ ଗାଁ ଲୋକଙ୍କ ଦୁଃଖ ପିଲାଙ୍କୁ ପାଠପଢ଼ାଇବାକୁ ଦିଦି ତାଙ୍କ ଜୀବନକୁ ବାଜି ଲଗାଉଥିଲା ବେଳେ, ଏଠି ବ୍ୟବସ୍ଥା ଏତେ ଅଥର୍ବ କାହିଁକି? ଦୀର୍ଘଦିନ ଧରି ଦାବି ସତ୍ତ୍ୱେ ସାପୁଆ ନଈ ଉପରେ କାହିଁକି ପୋଲଟିଏ ହେଇପାରୁନି? ଦିଦିଙ୍କ ସାହସ ଆଗରେ ନଈ ସିନା ହାର ମାନୁଛି, ହେଲେ ନଈରେ ପାଣି ପଡ଼ିଲେ ବହୁ ପିଲାଙ୍କ ସ୍କୁଲ ବନ୍ଦ ହେଉଯାଉଛି।

କୁନି ଭବିଷ୍ୟତଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ରଥିଆପାଳର ବିନୋଦିନି ଦିଦି ତ ତାଙ୍କ କର୍ତ୍ତବ୍ୟ କରିଚାଲିଛନ୍ତି। ଏବେ ଅପେକ୍ଷା ସରକାରୀ ବ୍ୟବସ୍ଥା ତା କର୍ତ୍ତବ୍ୟ କେବେ କରୁଛି? କେବେ ହେଉଛି ସାପୁଆ ଛାତିରେ ପୋଲ?