ବସ୍ତିରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ପୁଡ଼ିଆ କରି ବିକୁ ଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ବ୍ରାଉନ୍‌ ସୁଗାରର ଗଡ଼ ହଳଦୀପଡ଼ିଆ। ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ସ୍ଥିତ ହଳଦୀପଡ଼ିଆ ବସ୍ତିରୁ ପୁଣି ଜବତ ହୋଇଛି ବ୍ରାଉନ୍‌ ସୁଗାର। ଆଜି ଜଣଙ୍କ ଘରୁ ଅବକାରୀ ବିଭାଗ ଅଧିକାରୀମାନେ ୧୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବସ୍ତିରେ ଆଉ କିଏ ବ୍ରାଉନ୍‌ ସୁଗାର ବ୍ୟବସାୟରେ ଲିପ୍ତ ଅଛନ୍ତି, ସେନେଇ ତନାଘନା ଜାରି ରଖିଛି ଅବକାରୀ ବିଭାଗ।