ଆଲୋଚନା ବିଫଳ: ବୁର୍ଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି

ସମ୍ୱଲପୁର: ବୁର୍ଲା ଭିଏସ୍ଏସ୍ ମେଡିକାଲର ଜୁନିୟର ଡାକ୍ତର ଓ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏନ୍.ବି. ଏସ୍. ରାଜପୁତଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ଆଜି ସନ୍ଧ୍ୟାରେ ଦୀର୍ଘ ୨ ଘଣ୍ଟା ଧରି  ଆଲୋଚନା ହୋଇଥିଲେ ହେଁ କୌଣସି ଫଳ ବାହାରି ପାରିନାହିଁ। ଫଳରେ ନିୟର ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜିଦରେ ଅଟଳ ରହିଛନ୍ତି ଆନ୍ଦୋଳନରତ ଜୁନିୟର ଡାକ୍ତର।  ଆଲୋଚନା ବେଳେ ସମ୍ୱଲପୁର ଜିଲ୍ଲାପାଳ ବଳୱନ୍ତ ସିଂ ମଧ୍ୟ ଉପସ୍ଥିତ ଥିଲେ। ୯ ଦଫା ଦାବି ନେଇ ଗତ ୧୨ ତାରିଖରୁ ବୁର୍ଲା ମେଡିକାଲର ଜୁନିୟର ଡାକ୍ତର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି। ଏଥିରେ ହାଉସ୍ ସର୍ଜନ ମଧ୍ୟ ସାମିଲ ହୋଇଛନ୍ତି। ପ୍ରାୟ ୪୫୦ ଜଣ ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନରେ ସାମିଲ ହେବାରୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ବୁର୍ଲା ଭିଏସ୍ଏସ୍ ମେଡିକାଲ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଦିନକୁ ଦିନ ଏହି ଆନ୍ଦୋଳନ ଜୋର ଧରୁଛି। ଆନ୍ଦୋଳନକାରୀ ଡାକ୍ତରମାନେ ଶନିବାର ସନ୍ଧ୍ୟାରେ ହସ୍ପିଟାଲର ଅଧୀକ୍ଷକ ଓ ପ୍ରଶାସକଙ୍କୁ ଅଟକ ରଖି ସେମାନଙ୍କ ଚ୍ୟାମ୍ୱର ଆଗରେ ଧାରଣା ଦେଇଥିଲେ।

ଅନ୍ୟପକ୍ଷରେ ଭିମସାର କର୍ତ୍ତୃପକ୍ଷ ସବୁ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।