ବୁର୍ଲା ଜୁନିୟର ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ: ଆଜି ଜେନେରାଲ ବଡି ବୈଠକ

ଭୁବନେଶ୍ୱର: ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜ୍ ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନା ନାହିଁ ତାହା ଆଜି ନିଷ୍ପତ୍ତି ନେବେ। ଆଜି ହେବାକୁ ଥିବା ଜେନେରାଲ ବଡି ମିଟିଂ ପରେ ଏହି ନିଷ୍ପତ୍ତି ନିଆଯିବ ବୋଲି ସଂଘ ସଭାପତି କହିଛନ୍ତି ।

ବୁଧବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଜୁନିୟର ଡାକ୍ତରୀ ସଂଘ ପ୍ରତିନିଧି ଦଳର ଆଲୋଚନା ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ବୁର୍ଲା ମେଡିକାଲର ବିଭିନ୍ନ ସମସ୍ୟା ଉପରେ ମନ୍ତ୍ରୀ ଆଲୋଚନା କରିଥିଲେ। ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ମେଡିକାଲର ବିଭିନ୍ନ ସମସ୍ୟା ଦୂର କରାଯିବ ବୋଲି ଆଲୋଚନା ପରେ ମନ୍ତ୍ରୀ କହିଛନ୍ତି। ଆଲୋଚନା ସଫଳ ହୋଇଥିବା କହିଛନ୍ତି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ଭିଏସ୍ଏସ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭିତ୍ତିଭୂମିର ବିକାଶ ସହ ମୋଟ୍ ୯ ଦଫା ଦାବିରେ ଜୁନିୟର ଡାକ୍ତରମାନେ ଗତ ୧୨ ତାରିଖରୁ ଆନ୍ଦୋଳନ ଚଳାଇଛନ୍ତି। ଦାବି ସଂପର୍କରେ ପୂର୍ବରୁ ଆରଡିସି ଓ ଗତକାଲି ସ୍ଥାନୀୟ ବିଧାୟିକା ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରି ନ ଥିଲା।