ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟିନେଲେ ହେଲପର୍‌

ପାରାଦୀପ(ରମାକାନ୍ତ ଦାସ): ବସ୍‌ଟି ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା। ହେଲେ ନିର୍ଘଣ୍ଟ ସମୟ ହୋଇଯିବା ସତ୍ତ୍ୱେ ଗଡ଼ିଲାଗି ଚକ । ଏହାଦେଖି ଅନ୍ୟମାନେ ବସ୍‌ ଭିତରକୁ ଯାଇ ଯାହା ଦେଖିଲେ ତାଜୁବ ହୋଇଗଲେ। କାରଣ  ବସ୍‌ ଭିତରେ ଉଭୟ ଡ୍ରାଇଭର ଓ କଣ୍ଡକ୍ଟର ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ହେଲପରର ଦେଖା ନ ଥିଲା। ଘଟଣା ବୁଝୁ ବୁଝୁ ବସ୍‌ର ହେଲପର୍‌ ଗତ ରାତିରୁ ଉଭୟଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଟଙ୍କା ଓ ମୋବାଇଲ ନେଇ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ‘ଶିବଶକ୍ତି’ ନାମକ ଘରୋଇ ବସ୍‌ ପ୍ରତିଦିନ ସକାଳୁ ପାରାଦୀପରୁ ପୁରୀ ଅଭିମୁଖେ ଯାଇଥାଏ। ଗତରାତିରେ ବସ୍‌ଟି ଆସି ପାରାଦୀପ ଷ୍ଟାଣ୍ଡରେ ଲାଗିଥିଲା। ହେଲେ ଆଜି ସକାଳେ ଆଉ ବସ୍‌ଟି ଷ୍ଟାଣ୍ଡ ଛାଡ଼ି ନ ଥିଲା। ଏହାଦେଖି ଅନ୍ୟ ବସ୍‌ର କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ସେମାନେ ବସ୍‌ ପାଖକୁ ଯାଇ  ଡ୍ରାଇଭର ଏବଂ କଣ୍ଡକ୍ଟର ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କୁ ଚେତା ଫେରାଇବାକୁ ଚେଷ୍ଟା କରିବାରୁ ସେମାନେ କିଛି କିଛି ସୂଚନା ଦେଇ ପାରିଥିଲେ।

ବସ୍‌ ଡ୍ରାଇଭରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ୯ଟାରେ ବସ୍‌ଟି ଷ୍ଟାଣ୍ଡରେ ଲାଗିଥିଲା। ଉକ୍ତ ସମୟରେ ସବୁ ଯାତ୍ରୀ ଓହ୍ଲାଇ ଯାଇଥିବା ବେଳେ ଅସ୍ତରଙ୍ଗ ମାଧପୁର ନିକଟରୁ ଉଠିଥିବା ଜଣେ ଯୁବକ ରହି ଯାଇଥିଲେ। ହେଲପର ତାଙ୍କୁ ନିଜ ଚିହ୍ନା ପରିଚୟ ବୋଲି କହିଥିଲେ। ଏହାପରେ ହେଲପର ଏକ ଥଣ୍ଡା ପାନୀୟ ଆଣି ମୋତେ ଓ କଣ୍ଡକ୍ଟରଙ୍କୁ ପିଇବାକୁ ଦେଇଥିଲା। ଏହାପରେ ଆମେ ଅଚେତ ହୋଇ ପଡ଼ିଥିବା ବେଳେ କିଛି ଜାଣି ପାରି ନ ଥିଲୁ।

ଆଜି ଚେତା ସାମାନ୍ୟ ଫେରିବା ପରେ ବସ୍‌ ବାକ୍ସ ତଡ଼ାଯାଇ ସେଥିରେ ଥିବା ୧୩ ହଜାର ଟଙ୍କା ଓ ୨ ମୋବାଇଲ ଗାଏବ ହୋଇଯାଇଥିବା ଦେଖିବାକୁ ପାଇଲୁ। ହେଲପର ଓ ତାଙ୍କ ସହଯୋଗୀ ଏଥିରେ ସମ୍ପୃକ୍ତ ଥିବା ଆରମ୍ଭ ସନ୍ଦେହ ହେଉଛି।

ଘଟଣାର ୧୨ ଘଣ୍ଟା ପରେ ବି କଣ୍ଡକ୍ଟର ଓ ଡ୍ରାଇଭରଙ୍କ ହୋସ୍‌ ଫେରୁ ନ ଥିବାରୁ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ହେଲେ ସେମାନଙ୍କୁ ମେଡିକାଲ ନିଆଯାଇ ନ ଥିବା ବେଳେ ଘଟଣାସ୍ଥଳରେ ପୁଲିସ୍‌ ବି ପହଞ୍ଚି ନ ଥିବା ଜଣାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।