କ୍ୱାକ୍‌ ନେଲା ବ୍ୟବସାୟୀଙ୍କ ଜୀବନ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ଏଠି  ସବୁ ଡାକ୍ତର। କ୍ୱାକ୍‌ ନିଜକୁ ଡାକ୍ତର କହୁଛି। ଆଉ ତାଙ୍କ ସ୍ତ୍ରୀ ମଧ୍ୟ ନିଜକୁ ଡାକ୍ତର କହୁଛି। ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ନିଜେ ଦେଖୁଛି ରୋଗୀ। ଯେଉଁଥିପାଇଁ ଯାଇଛି ବ୍ୟବସାୟୀଙ୍କ ଜୀବନ। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ। କ୍ୱାକ୍‌ଙ୍କ ପାଇଁ ବ୍ୟବସାୟୀଙ୍କ ଜୀବନ ଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଏମ୍‌ଭି-୫୯ ଭେଙ୍କଟପଲମ୍‌ ଗାଁର ବ୍ୟବସାୟୀ ତପନ ପାଲ୍‌ ଗତ ୧୪ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଦାନ୍ତ ଯନ୍ତ୍ରଣା କରୁଥିଲା। ପରିବାର ଲୋକେ ତାଙ୍କୁ କାଲିମେଳା ବଜାରରେ ଥିବା ଏକ କ୍ଲିନିକ୍‌କୁ ନେଇଥିଲେ। ସେତେବେଳେ କ୍ଲିନିକ୍‌ରେ ନକଲି ଡାକ୍ତର(କ୍ୱାକ୍‌) ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର ନାଥ ବିଶ୍ୱାସ ନଥିଲେ। ତାଙ୍କ ପତ୍ନୀ ବାସନ୍ତୀ ବିଶ୍ୱାସ, ଶ୍ରୀ ପାଲ୍‌ଙ୍କ ଚିକିତ୍ସା କରିଥିଲେ। ତାଙ୍କ ଦାନ୍ତ ଉପାଡି ଥିଲେ।

ଦାନ୍ତ ଉପାଡିବା ପରେ ଶ୍ରୀ ପାଲ୍‌ଙ୍କ ଯନ୍ତ୍ରଣା ବଢ଼ିଥିଲା। ପ୍ରବଳ ରକ୍ତଶ୍ରାବ ହୋଇଥିଲା। କିଛି ଉପାୟ ନପାଇ ଶ୍ରୀ ପାଲ୍‌ଙ୍କୁ ତାଙ୍କ ପରିବାର ଲୋକେ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପାଲ୍‌ଙ୍କ ମୃତ୍ୟୁ ଘଟିଥିଲା। ଏନେଇ ମୃତ ଶ୍ରୀ ପାଲ୍‌ଙ୍କ ପୁଅ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ପାଲ୍‌ଙ୍କ ଦାନ୍ତ ଉପାଡ଼ିଥିବା କ୍ୱାକ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ମାମଲା ଥାନାକୁ ଯାଇଥିବା ଜାଣି ଡାକ୍ତର ଦମ୍ପତି ଘରେ ତାଲା ପକାଇ ଚମ୍ପଟ ମାରିଛନ୍ତି।

ସୂଚନା ଯୋଗ୍ୟ, ବିନା ଡାକ୍ତରୀ ସାର୍ଟିଫିକେଟ୍‌ରେ ଦୀର୍ଘ ବର୍ଷ ହେଲା ରବୀନ୍ଦ୍ର ନାଥ ବିଶ୍ୱାସ ତାଙ୍କ ଘରେ ବେଆଇନ୍‌ ଭାବେ କ୍ଲିନିକ୍‌ ଖୋଲିଛନ୍ତି। ସ୍ୱାମୀ ଓ ସ୍ତ୍ରୀ ମିଳିତ ଭାବେ ଚିକିତ୍ସା କରୁଛନ୍ତି। ଏ ସମ୍ପର୍କରେ ପ୍ରଶାସନ ସବୁ ଜାଣି ଚୁପ୍‌ ବସିଛି। ଯେଉଁଥିପାଇଁ କାଲିମେଳାର ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଆଜି ମୃତ୍ୟୁ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।