କାର୍‌ ଧକ୍କାରେ ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଭୁବନେଶ୍ୱର: କାର୍‌ ଧକ୍କାରେ ଓୟୁଏଟି ଛାତ୍ରୀଙ୍କର ମୃତ୍ୟୁ ଘଟଣାରେ ଡ୍ରାଇଭର ମହେଶ୍ୱର ବେହେରାଙ୍କୁ ଖଣ୍ଡଗିରି ଥାନା ପୋଲିସ୍‌ ଗିରଫ କରିଛି। ମହେଶ୍ୱରଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ। ସେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଡ୍ରାଇଭର।

ଗିରଫ ମହେଶ୍ୱର କହିଛନ୍ତି,“ମୁଁ ମେଡିସିନ୍‌ ନେଇ ଯାଉଥିଲି। ଅଟୋରୁ ଦୁଇ ଜଣ ଝିଅ ଓହ୍ଲାଇ ମୋ ଗାଡ଼ି ଆଗକୁ ଚାଲି ଆସିଥିଲେ। ମୋ ଗାଡ଼ି ସ୍ପିଡ୍‌ ଥିବାରୁ ସେମାନଙ୍କ ଦେହରେ ପିଟି ହୋଇଥିଲା। ଏହି ଘଟଣା ପରେ ମୁଁ ଭୟରେ ପଳାଇ ଯାଇଥିଲି।”

ତେବେ ଦୁର୍ଘଟଣା ସମୟରେ ମହେଶ୍ୱର ନୁହେଁ ଅନ୍ୟ ଜଣେ ଗାଡି ଚଳାଉ ଥିଲେ ବୋଲି ମୃତ ଛାତ୍ରୀଙ୍କ ପରିବାର ଲୋକେ କହିଛନ୍ତି। ଏହାସହ ପ୍ରକୃତ ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଉ ଥିବା ସେମାନେ ଅଭିଯୋଗ କରିଛନ୍ତି।

କାର୍‌ ଡ୍ରାଇଭରଙ୍କୁ ଗିରଫ କରିବା ଦାବିରେ ଗତକାଲି ଓୟୁଏଟି ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଥିଲେ।

ଶନିବାର ରାତିରେ ଓୟୁଏଟିର ଏମସିଏ ତୃତୀୟ ବର୍ଷର ଛାତ୍ରୀ ସୁଚିସ୍ମିତା  ବିଶ୍ୱାଳଙ୍କର ଏକ ସଫାରୀ ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିଲା। ପୋଲିସ୍‌ ଗାଡ଼ିଟିକୁ ଜବତ କରିଥିବା ବେଳେ ମହେଶ୍ୱର ଫେରାର ହୋଇଯାଇଥିଲେ।

ଛାତ୍ରୀଙ୍କୁ ଧକ୍କା ଦେଇଥିବା ଗାଡ଼ିର ମାଲିକାନା ସିଦ୍ଧାର୍ଥ କନ୍‌ଷ୍ଟ୍ରକସନ୍‌ ନାଁରେ ରହିଥିବା ଜଣାପଡିବା ପରେ କମିଶନରେଟ୍‌ ପୋଲିସ ଉକ୍ତ ସଂସ୍ଥା ଉପରେ  ଚଢାଉ କରିଥିଲା। ଏହି ସଂସ୍ଥା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଜଣେ ସମ୍ପର୍କୀୟଙ୍କର ବୋଲି ଜଣାପଡିଛି।

ସଂସ୍ଥା ପକ୍ଷରୁ ଗାଡିଟିକୁ ୨୦୦୯ରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କୁ ବିକ୍ରି କରାଯାଇଥିଲା। ହେଲେ ଏହାର ମାଲିକାନା ସତ୍ତ୍ୱ ପରିବର୍ତ୍ତନ କରାଯାଇ ନ ଥିବା କମିଶନରେଟ୍‌ ପୋଲିସ ସୂଚନା  ଦିଆଯାଇଥିଲା। ତେବେ ଗାଡ଼ିଟି କିଶୋର ମହାନ୍ତି ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି।