ଚାଷୀ ସମସ୍ୟା ନେଇ ଜୟପୁରରେ ରାଜନୀତି ସରଗରମ୍: ଚାଷୀଙ୍କ ସହ ପୃଥକ୍ ପୃଥକ୍ ଧାରଣାରେ ବସିଲେ ରବି ନନ୍ଦ, ତାରା ବାହିନୀପତି

ଜୟପୁର: ଧାନ ବିକ୍ରି କରି ୪ମାସ ଧରି ବକେୟା ପାଉଣା ପାଇନଥିବା ଚାଷୀଙ୍କ ସମସ୍ୟାକୁ ନେଇ କୋରାପୁଟ ଜିଲ୍ଲା ରାଜନୀତି ଜୋର ଧରିଛି। ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ଦାବିରେ ଜୟପୁରରେ ଉପ-ଜିଲ୍ଲାପାଳଙ୍କ ବାସଭବନ ଆଗରେ ପୃଥକ୍ ପୃଥକ୍ ଧାରଣାରେ ବସିଛନ୍ତି ବିଜେଡି ନେତା ରବି ନାରାୟଣ ନନ୍ଦ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି। ସମସ୍ୟା ସମାଧାନ ନ ହେବା ଯାଏଁ ଧାରଣା ଚାଲୁ ରହିବ ବୋଲି ଉଭୟେ କହିଛନ୍ତି।

ସୂଚନା ଅନୁସାରେ ଗତ ଜୁନ୍ ୩୦ତାରିଖରେ ରବି ଋତୁରେ ଜୟପୁର ଉପଖଣ୍ଡ ଅଞ୍ଚଳର ୯ଶହରୁ ଅଧିକ ଚାଷୀ ଉମ୍ରି ଲ୍ୟାମ୍ପସ ଏବଂ କୁନ୍ଦ୍ରା ଲ୍ୟାମ୍ପସର ୭୨ ହଜାର କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ତେବେ ୪ ମାସ ପରେ ବି ସେମାନେ ପାଉଣା ପାଇନଥିବା ଅଭିଯୋଗ ହୋଇଥିଲା। ଏପରିକି ଚାଷୀମାନେ ଧାନ କ୍ରୟ କରିଥିବା ସଂସ୍ଥାଠାରୁ ଆରମ୍ଭ କରି ଜୟପୁର ଉପଜିଲ୍ଲାପାଳ, ଜିଲ୍ଲାପାଳ, ଖାଦ୍ୟ ଓ ଯୋଗାଣ ସଚିବ ଓ ମନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ଯାହାର ପ୍ରତିବାଦରେ ଆଜି ଚାଷୀମାନେ ଧାରଣା ଦେଇଛନ୍ତି। ତା’ସହ ଧାନ ବିକା ଟଙ୍କା ନ ମିଳିଲେ ଆସନ୍ତା ନଭେମ୍ୱର ୧୫ରୁ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଥିବା ଧାନମଣ୍ଡିକୁ ମଧ୍ୟ ଜିଲ୍ଲା କୃଷକ ସମାଜ ବିରୋଧ କରିବ ବୋଲି କହିଛି।