ସିବିଏସଇର ବିନା ଅନୁମତିରେ ରାଜଧାନୀରେ ଚାଲିଛି ସ୍କୁଲ

ଭୁବନେଶ୍ୱର: ସିବିଏସଇର ବିନା ସ୍ୱୀକୃତିରେ ରାଜଧାନୀରେ ଚାଲିଛି ସ୍କୁଲ। ଭୁବନେଶ୍ୱର ୟୁନିଟ ୮ରେ ଥିବା ନାରାୟଣ ଅଲମ୍ପିଆଡ ସ୍କୁଲ ନାଁରେ ଆସିଛି ଏଭଳି ଅଭିଯୋଗ। ଏଠାରେ ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସିବିଏସଇ ସିଲାବସ ଅନୁସାରେ ପାଠପଢା ହେଉଥିବା ସ୍କୁଲ ବୋର୍ଡରେ ଉଲ୍ଲେଖ ରହିଛି। ହେଲେ ସ୍କୁଲକୁ ସିବିଏସଇର ସ୍ୱୀକୃତି ମିଳିନି। ଫଳରେ ଏଠାରେ ପଢୁଥିବା ପିଲାଙ୍କ ରେଜିଷ୍ଟ୍ରେସନ ହୋଇପାରିବ ନାହିଁ କି ସେମାନେ ସିବିଏସଇ ବୋର୍ଡର ମାଟ୍ରିକ ପରୀକ୍ଷା ଦେଇପାରିବେ ନାହିଁ। ଏପରି ସ୍ଥିତିରେ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲିଯାଇଛି।

ଏପରି କି ଏହି ସ୍କୁଲକୁ ରାଜ୍ୟ ସରକାର ଏନଓସି ମଧ୍ୟ ଦେଇନାହାନ୍ତି। ଏହାସତ୍ତ୍ୱେ ସ୍କୁଲ ଚାଲିଛି। ଏ ନେଇ ସିବିଏସଇ ପାଖରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ସମ୍ପୃକ୍ତ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସଇ କର୍ତ୍ତୃପକ୍ଷ କହିଛନ୍ତି।

ସିବିଏସଇ ରିଜିଓନାଲ ଅଫିସର ଲକ୍ଷ୍ମଣ ଲାଲ ମୀନା କହିଛନ୍ତି, ନାରାୟଣ ଅଲମ୍ପିଆଡ ନାମରେ କୌଣସି ସ୍କୁଲ ସିବିଏସଇ ଅଧୀନରେ ନାହିଁ। ଏଠାରେ ପଢୁଥିବା ପିଲାମାନଙ୍କ ପାଇଁ ସିବିଏସଇ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ ନାହିଁ। ସେମାନେ ପରୀକ୍ଷାରେ ବସି ପାରିବେ ନାହିଁ ବୋଲି କହିଛନ୍ତି।

ସିବିଏସଇଠାରୁ ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀର ମୋଟ ୪୨ଟି ସ୍କୁଲକୁ ସ୍ୱୀକୃତି ମିଳିଛି। ଏହି ତାଲିକା ସିବିଏସଇ ୱେବସାଇଟରେ ମଧ୍ୟ ଉପଲବ୍ଧ ହେଉଛି। ଏଥିରେ ଯେଉଁ ସ୍କୁଲର ନାହାନ୍ତି ସେ ସବୁ ସ୍କୁଲରେ ପିଲାଙ୍କୁ ଆଡମିଶନ ନ କରାଇବାକୁ କର୍ତ୍ତୃପକ୍ଷ କହିଛନ୍ତି। ସ୍ୱୀକୃତି ପାଇ ନ ଥିବା ସ୍କୁଲଗୁଡିକ ୧୦ମ ପରୀକ୍ଷା ବେଳେ ଅନ୍ୟ ସ୍ୱୀକୃତିପ୍ରାପ୍ତ ସ୍କୁଲ ଜରିଆରେ ପିଲାଙ୍କ ପରୀକ୍ଷା ଦେବା ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ଅଭିଭାବକମାନଙ୍କଠାରୁ ଫି ଆକାରରେ ମୋଟା ଅଙ୍କର ଅର୍ଥ ନିଆଯାଉଛି। ତେବେ ଏ ବିଷୟରେ ଅଭିଭାବକମାନଙ୍କୁ ମୂଳରୁ ଅନ୍ଧାରରେ ରଖାଯାଉଥିବ ଅଭିଯୋଗ ହେଉଛି।

ଶିକ୍ଷାବିତ ଯୁଗଳ କିଶୋର ମହାନ୍ତି କହିଛନ୍ତି, ଏପରି ସ୍କୁଲର କର୍ତ୍ତୃପକ୍ଷ ପିଲାମାନଙ୍କ ଆଡମିଶନ କରାଇବା ପରେ ସେମାନଙ୍କଠାରୁ ଟଙ୍କା ନେଇ ଅନ୍ୟ ଆଫିଲେଟେଡ ସ୍କୁଲ ଜରିଆରେ ପରୀକ୍ଷା କରାଉଛନ୍ତି। ସେଠାରେ ଟଙ୍କା ଦେଇ ସାର୍ଟିଫିକେଟ ଆଣୁଛନ୍ତି। ଏଥିରେ ରାଜ୍ୟ ସରକାର ଓ ସିବିଏସଇ କିଛି ପଦକ୍ଷେପ ନେବା ଦରକାର। ଫଳରେ ଏହିପରି ବ୍ୟବସାୟକୁ ବନ୍ଦ କରିହେବ।