ଶିମିଳିପାଳରେ ନିଆଁ ଲାଗିବାର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜକୁ ୧୫ ଦିନ ତଳେ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ଲାଗି ଥିଲା ନିଆଁ। ତେବେ ଏହି ନିଆଁ ପ୍ରାକୃତିକ ନା ମନୁଷ୍ୟକୃତ? ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଆଜକୁ ଦୁଇ ଦିନ ହେଲା ଶିମିଳିପାଳ କୋର୍‌ ଏରିଆରେ ପଶି କାରଣ ଖୋଜୁଛି ବନବିଭାଗର ସ୍ୱତନ୍ତ୍ର ଟିମ୍‌। ଏହାଛଡ଼ା ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉତ୍ତର ଓ ଦକ୍ଷିଣ ଡିଭିଜନର ୨ ଉପ ନିର୍ଦ୍ଦେଶକଙ୍କ ସମେତ ଶିମିଳିପାଳର ବିଭିନ୍ନ ରେଞ୍ଜ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଟିମ୍‌ ଆଲୋଚନା କରିଛନ୍ତି। NTCA ଆଇଜି ଅମିତ ମଲ୍ଲିକ ମଧ୍ୟ ଏହି ଟିମ୍‌ ସହ ଆଜି ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏମାନେ ବିଶେଷ କରି ଗୁଡୁଗୁଡ଼ଇା, ବରେହିପାଣି, ନଅଣା ପ୍ରମୁଖ ସ୍ଥାନକୁ ଯାଇ ଲୋକଙ୍କ ସହ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପଚାରି ବୁଝିଛନ୍ତି। ଶିମିଳିପାଳ ଭିତରେ ବାଘଙ୍କ ଅବସ୍ଥା କେମିତି ଅଛି ? ଅଗ୍ନିକାଣ୍ଡରେ ବିଗିଡ଼ି ଯାଇଛି ସେମାନଙ୍କ ଖାଦ୍ୟ ଶୃଙ୍ଖଳ? ଏସବୁର ଅନୁଧ୍ୟାନ କରିଛନ୍ତି NTCA ଆଇଜି। ତେବେ ବର୍ଷା ପ୍ରଭାବରେ ଶିମିଳିପାଳ ସମେତ ସଂଲଗ୍ନ ବନାଞ୍ଚଳରେ ନିଆଁ ଆୟତ୍ତକୁ ଆସିଥିବା କହିଛି ବନବିଭାଗ।

ଶିମିଳିପାଳ ନିଆଁ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ରାଜ୍ୟର ଅନ୍ୟାନ୍ୟ ବନାଞ୍ଚଳରେ କିନ୍ତୁ ଜଳୁଛି ଜଙ୍ଗଲ। ବୌଦ୍ଧ ବନଖଣ୍ଡର ୫ଟି ରେଞ୍ଜରେ ନିଆଁ ଅଣାୟତ୍ତ। ଅବଶ୍ୟ ନିଆଁ ନିୟନ୍ତ୍ରଣ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ବନ ବିଭାଗ। ତଥାପି ଆୟତ୍ତକୁ ଆସିପାରୁନି ନିଆଁ। ବୌଦ୍ଧ ବନଖଣ୍ଡର ପ୍ରାୟ ୪୦ଟି ସ୍ଥାନରେ ନିଆଁ ଜଳୁଛି। କେବଳ ବୌଦ୍ଧ ନୁହେଁ, ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା (FSI)ର ତଥ୍ୟ ଅନୁସାରେ ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ଦର୍ଶାଇଛନ୍ତି, ଆଜି ରାଜ୍ୟର ୩୧୦ଟି ପଏଣ୍ଟ ଓ ଶିମିଳିପାଳର ୩ଟି ଜାଗାରେ ଜଙ୍ଗଲ ଜଳୁଛି। ତେବେ ନିଆଁ ଲିଭାଇବାକୁ ଭିତ୍ତିଭୂମି ସହ ଲିଫ୍‌ ବ୍ଲୋଅର୍‌ ସଂଖ୍ୟା ଦୁଇଗୁଣା କରିବାକୁ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଅଧିବାସୀଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ DFOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଫରେଷ୍ଟ ଫାୟାର ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।