ଚାଷୀ ଆତ୍ମହତ୍ୟା ଓ ମରୁଡି ପ୍ରସଙ୍ଗକୁ ନେଇ ଆସନ୍ତା ୯ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ୧୧ ଜିଲ୍ଲାରେ ଆନ୍ଦୋଳନ ଚେତାବନୀ

ସମ୍ବଲପୁର: ଚାଷୀ ଆତ୍ମହତ୍ୟା ଓ ମରୁଡି ପ୍ରସଙ୍ଗକୁ ନେଇ ଆସନ୍ତା ୯ତାରିଖରେ ପଶ୍ଚିମ ଓଡିଶା ସମେତ ୧୧ଟି ଜିଲ୍ଲାରେ ଆନ୍ଦୋଳନ କରିବ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ। ସେହିଦିନ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ପ୍ରତିବାଦ କରାଯିବ। ଚାଷୀ ମୃତ୍ୟୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ, ଦାମୋଦର ରାଉତ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଆଜି ସମ୍ୱଲପୁରଠାରେ ସଙ୍ଗଠନର ଏକ ଜରୁରୀକାଳୀନ ବୈଠକରେ ବସି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ ହୋଇଛି। ସରକାରଙ୍କ ଦ୍ୱାରା ଘୋଷିତ ମରୁଡି ପ୍ୟାକେଜକୁ ସଙ୍ଗଠନ ପ୍ରତ୍ୟାଖ୍ୟାନ କରିଛି। ଏହାଛଡା ସଙ୍ଗଠନ କୃଷି ଋଣ ଛାଡ, ଅଣ ଜଳସେଚିତ ଅଞ୍ଚଳକୁ ଜଳ ସେଚନ ସୁବିଧା, ଚାଷୀ ଆତ୍ମହତ୍ୟା ନେଇ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସଂଗଠନ ଦାବି କରିଛି।