ଚାନ୍ଦବାଲିରେ ଜମି ଠକେଇ: ମିଛ ଚେକ୍ ଦେଇ ହଡ଼ପ ହୋଇଛି ଏକର ଏକର ଜମି

bhadrak
ଠକାମୀର ଶିକାର ହୋଇଥିବା ଭରତ ସାମଲ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳରେ ଜମି ହଡ଼ପ ଅଭିଯୋଗ ହୋଇଛି। ଗୁଜରାଟର କିଛି ରିୟଲ ଇେଷ୍ଟଟ୍ କଂପାନୀ ଚାଷୀଙ୍କଠାରୁ ଏକର ଏକର ଚାଷ ଜମି ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି। ଜମି ବଦଳରେ କଂପାନୀ ଦେଇଥିବା ଚେକ୍ ବାଉନ୍ସ ହୋଇଛି। ଏବେ କଂପାନୀ ଓ ତା’ର ଏଜେଣ୍ଟ ଛୁ ମାରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ୪୦ରୁ ଅଧିକ ଚାଷୀ।

ଠକାମୀର ଶିକାର ହୋଇଥିବା ଏହି ୪୦ ଚାଷୀଙ୍କ ମଧ୍ୟରେ ଅଛନ୍ତି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଳବାଡ଼ ଗାଁର ଭରତ ସାମଲ। ତାଙ୍କ ନାଁରେ ୨ ଏକର ୯୨ ଡିସିମିଲ ଜମି ଥିଲା। ସର୍ବଶ୍ରେଷ୍ଠ ରିଅଲ୍ ଇେଷ୍ଟଟ୍ ପ୍ରାଇଭେଟ୍ ଲିମିଟେଡର ଏଜେଣ୍ଟ ପହଞ୍ଚିଥିଲେ ଭରତଙ୍କ ପାଖରେ। ଆଉ ୧୪ ଲକ୍ଷ ୩୦ ହଜାର ଟଙ୍କ।ରେ ହୋଇଥିଲା ଜମି ବିକ୍ରିର ଡିଲ୍। ହେଲେ ତାଙ୍କୁ ମିଳିଥିବା ଚେକ୍ ବାଉନ୍ସ ହୋଇଛି। ବ୍ୟାଙ୍କ ବାଲା ଚେକ୍ ଫେରାଇ ଦେବା ପରେ ଭରତଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ଜମି ଗଲା, ଟଙ୍କା ମିଳିଲାନି।

ଭରତ ସାମଲ କହିଛନ୍ତି, ଜମି ଦଲାଲମାନେ କହିଲେ ତୁମର ଜମି ବିକି ଦିଅ ବହୁତ ଟଙ୍କା ପାଇବ। ଜମି ବିକି ଘର ପାଖରେ ଜାଗା କିଣିବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଚେକ୍ ପାଇବାର ୧୦-୧୨ ଦିନ ପରେ ବ୍ୟାଙ୍କ ଯାଇ ଜାଣିବାକୁ ପାଇଲି ସେହି ଆକାଉଣ୍ଟରେ ଟଙ୍କା ନାହିଁ। ବ୍ୟାଙ୍କବାଲ୍ ଚେକ୍ ଫେରାଇ ଦେଲେ।

ସେହିଭଳି ବଳିହାରପୁର, ବାଂଶଡା, ନୂଆଗାଁ, ଧାମରା, ଶଶୀକାଦେଇପୁର, ବଳଭଦ୍ରପ୍ରସାଦ ଆଦି ମୌଜାରେ ଜମି ବିକ୍ରି କରି ଠକାମୀର ଶିକାର ହୋଇଛନ୍ତି ଚାଷୀ। କାଳିଆ ପାଢୀଙ୍କ ୫ ଲକ୍ଷ ଟଙ୍କା, ସୁଚେନ୍ଦ୍ର ପାତ୍ରଙ୍କ ୨ ଲକ୍ଷ, କମଳା ସାହୁଙ୍କ ୩ ଲକ୍ଷ ଟଙ୍କାର ଚେକ୍ ବାଉନସ ହୋଇଛି। ଅଭିଯୋଗ ଅନୁସାରେ ପ୍ରାୟ ୧୪ଟି ସଂସ୍ଥା ବିଜୟ ବାଲୁ ନାମକ ବ୍ୟକ୍ତିଙ୍କ ନାଁରେ ୨ ଶହରୁ ଅଧିକ ଏକର ଚାଷ ଜମି କିଣିଛନ୍ତି। ଏଥିରୁ ଅନେକ କଂପାନୀ ଗୁଜରାଟର। ୨ ବର୍ଷ ହେଲା ସେମାନେ ଏମିତି ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି।

ଏଭଳି ଠକାମୀର ଶିକାର ହୋଇଥିବା କମଳା ସାହୁ ନାମକ ଜଣେ ମହିଳା କହିଛନ୍ତି, ତାଙ୍କର ବଳିହାରପୁର ମୌଜାରେ ଜମି ଥିଲା। ଘର ତିଆରି କରିବା ପାଇଁ ଜମି ବିକି ଥିଲି। ହେଲେ ଜମି ବଦଳରେ ମିଳିଥିବା ଚେକକୁ ବ୍ୟାଙ୍କ ଗ୍ରହଣ କରୁ ନାହାନ୍ତି। ଟଙ୍କା ମିଳୁ ନ ଥିବାରୁ ଘର ବି କରିପାରୁନୁ।

ଏହି ଠକେଇ ନେଇ ଚାନ୍ଦବାଲି ଥାନାରେ ମାମଲା ରୁଜ୍ଜୁ ହୋଇଛି। ଭଦ୍ରକ ଜିଲ୍ଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର କହିଛନ୍ତି, ଅଭିଯୋଗର ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାନ୍ଦବାଲି ସହିତ ପୂରା ଜିଲ୍ଲାରେ ଏନେଇ ଏକ ସର୍ଭେ କରାଯିବ। ତା’ହେଲେ ଆଉ କେଉଁ ସ୍ଥାନରେ ଏମିତି ଘଟଣା ଘଟିଛି କି ନାହିଁ ତାହା ଜଣାପଡ଼ିବ।