କାଲି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ: ଆସନ୍ତାକାଲି ମାଘ ସପ୍ତମୀ। ଏହି ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ଆସିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଆସନ୍ତାକାଲି ସକାଳେ ଏଠାରେ ନିର୍ମିତ ପବିତ୍ର ତୀର୍ଥ ପୁଷ୍କରଣୀରେ ସ୍ନାନ କରିବେ ଏହି ଶ୍ରଦ୍ଧାଳୁ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପୋଖରୀ ଖନନ କାର୍ଯ୍ୟ ଶେଷ ହୋଇଛି। ବ୍ଲିଚିଂ ପକାଇ ପୋଖରୀର ଜଳକୁ ବିଶୋଧନ କରାଯାଇଛି। ପୂର୍ତ୍ତ ବିଭାଗ ତରଫରୁ ପୋଖରୀ ଚାରିପାଖରେ ଓ ବିଭିନ୍ନ ପାର୍କିଂ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ମେଳା ପଡ଼ିଆରେ ୨ଟି ଅସ୍ଥାୟୀ ୱାଚ୍ ଟାୱାର ଓ ୧୧୦ଟି ଅସ୍ଥାୟୀ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି। ଏଠାରେ ୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯିବା ସହ ୨ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।

ପୌରାଣିକ ମତ ଅନୁସାରେ ମାଘ ସପ୍ତମୀରେ ଭଗବାନ ସୂର୍ଯ୍ୟ ଜନ୍ମ ହୋଇଥିଲେ। ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ରୋଗରୁ ମୁକ୍ତି ପାଇଥିଲେ। ତେଣୁ ରୋଗ,ଶୋକ ଓ ଭୟରୁ ମୁକ୍ତି ପାଇବା ବିଶ୍ୱାସରେ ଏହି ଦିନକୁ ଅପେକ୍ଷା କରି ରହିଥାଆନ୍ତି।