ସେବାୟତଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ପକ୍ଷ ରଖିବ ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ବିବାଦ ଥମି ନ ଥିବା ବେଳେ ଆଜି ବସିଥିଲା ଛତିଶା ନିଯୋଗ ବୈଠକ। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ପ୍ରଶାସନ ପ୍ରଦୀପ୍ତ ମହାପାତ୍ର। ଏଣେ ଚାବି ବିବାଦକୁ ନେଇ ଆଜି ପୁଣି ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଯେଉଁ ଲଫାପାରୁ ଚାବି ମିଳିଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ନିରଞ୍ଜନ ଲଫାପା ଉପରେ ଲେଖାଥିବା ଅକ୍ଷରର କାଳି ପରୀକ୍ଷା କଲେ ତାହା କେଉଁ ସମୟର ସ୍ପଷ୍ଟ ହୋଇଯିବ ବୋଲି ନିରଞ୍ଜନ କହିଛନ୍ତି ।

ସେପଟେ ତଦନ୍ତ କମିଶନଙ୍କ ଟର୍ମସ ଅଫ୍ ରେଫରେନ୍ସରେ ଚାବି ହଜିବା ପ୍ରସଙ୍ଗ ସହ ପୁରୁଣା ତାଲିକା ଅନୁସାରେ ରତ୍ନ ଭଣ୍ଡାରରେ ଅଳଙ୍କାର ସୁରକ୍ଷିତ ଅଛି ନା ନାହିଁ , ତାର ମେଳ କରାଇବା ବିଷୟ ମଧ୍ୟ ସାମିଲ କରାଯିବା ଲାଗି ସେ ଦାବି କରିଛନ୍ତି। ରାଜ୍ୟ ସରକାର ନିଜ ନୈତିକ କର୍ତ୍ତବ୍ୟ ଦୃଷ୍ଟିରୁ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ସନ୍ଦେହକୁ ଦୂର କରିବା ଉଚିତ୍ ବୋଲି ନିରଞ୍ଜନ କହିଛନ୍ତି । ସେପଟେ ଜଗନ୍ନାଥଙ୍କ ନେଇ ରାଜ୍ୟ ସରକାର କାହିଁକି ଏତେ ବେପରୁଆ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ଏଭଳି ଅପ୍ରୀତିକର ପରିସ୍ଥିତିରେ ପୁରୀରେ ଆଜି ଅନୁଷ୍ଠିତ ହୋଇଛି ଛତିଶା ନିଯୋଗ ବୈଠକ। ସେବାୟତଙ୍କୁ ଦାନ ଦକ୍ଷିଣା ସମ୍ପର୍କରେ  ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁପାଳନ ନେଇ ବୈଠକରେ ଆଲୋଚନା ହୋଇଛି । ଦାନଅର୍ଥକୁ ନେଇ ଛତିଶା ନିଯୋଗ ସୁପ୍ରିମ୍‌ କୋର୍ଟରେ ନିଜର ପକ୍ଷ ରଖିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଣେ ଦାନଅର୍ଥକୁ ନେଇ ସେବାୟତ ମଧ୍ୟ ସୁପ୍ରିମ୍‌ କୋର୍ଟରେ ନିଜ ପକ୍ଷ ରଖିପାରିବେ ବୋଲି କୁହାଯାଇଛି। ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ଦଇତାପତିଙ୍କୁ ପ୍ରାପ୍ୟ ପାଉଣା ଦିଆଯିବ ବୋଲି ବୈଠକ ଶେଷରେ କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ଏହି ବୈଠକରେ ରଥଯାତ୍ରା ସଂପର୍କିତ ନୀତି ନିର୍ଘଣ୍ଟ ପାରିତ ହୋଇଛି । ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜୟ ପଯର୍ୟନ୍ତ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ସ୍ନାନଯାତ୍ରା ଅନ୍ତିମ ପର୍ଯ୍ୟାୟରେ ଗଜାନନ ବେଶ ଉଲାଗି ବେଳେ ଶ୍ରୀ ବିଗ୍ରହଙ୍କୁ ଯେଭଳି ଅପମାନ କରା ନ ଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାପାତ୍ର।