ଛତ୍ରପୁରରେ ଗ୍ୟାସ୍ ଟ୍ୟାଙ୍କର ଓଲଟିବା ଘଟଣା: ଗ୍ୟାସ୍ ସ୍ଥାନାନ୍ତର, ୪ଟି କ୍ରେନ୍ ଉଠାଇଲେ ଟ୍ୟାଙ୍କର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ନେଇ ଲାଗି ରହିଥିବା ଆଶଙ୍କାର ଅବସାନ ଘଟିଛି। ବିଶାଖାପାଟଣାରୁ ଏକ ବିଶେଷଜ୍ଞ ଟିମ୍ ଆଜି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଅନ୍ୟ ଏକ ଟ୍ୟାଙ୍କରକୁ ଗ୍ୟାସ୍ ସ୍ଥାନାନ୍ତର କରିଛନ୍ତି। ଫଳରେ ଆଉ କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞ ଟିମ୍ କହିଛି। ୪ଟି କ୍ରେନ ସହାୟତାରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରଟିକୁ ଉଠାଯାଇଛି। ଟ୍ୟାଙ୍କର ତଳୁ ଜଣେ ମହିଳାଙ୍କ ସମେତ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଟ୍ୟାଙ୍କର ଉଠାଯିବା ପରେ ଏନଏଚ୍-୧୬ରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।

ରବିବାର ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜଣେ ସ୍କୁଟର ଚାଳକଙ୍କୁ ରକ୍ଷା କରିବାକୁ ଯାଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରୁ ଗ୍ୟାସ ଲିକ୍ ହୋଇଥିଲା। ତେଣୁ ଏନଏଚ୍-୧୬ ଉପରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯିବା ସହିତ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ନିଆଁ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ବିଦ୍ୟୁତ୍ ସରାବରାହକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଅଘଟଣକୁ ଏଡାଇବା ପାଇଁ ଗ୍ୟାସ ଟ୍ୟାଙ୍କର ଉପରେ ବରାବର ପାଣି ଢ଼ଳା ଚାଲିଥିଲା। ଗଞ୍ଜାମ ଜିଲ୍ଲାପାଳ ଓ ଏସପି ସ୍ଥିତି ଉପରେ ନଜର ରଖିଥିଲେ।