ଚିକିତ୍ସା ଅବହେଳାରୁ ହାଇଦ୍ରାବାଦରେ ୯ ବର୍ଷର ଓଡ଼ିଆ ବାଳକର ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ଚିକିତ୍ସା ଅବହେଳା ନେଇ ହାଇଦ୍ରାବାଦରେ ୯ ବର୍ଷୀୟ ଓଡ଼ିଆ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୯ ବର୍ଷର ହାର୍ଦ୍ଦିକ ଜେନା ଏକ ଛୋଟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ବାମ ହାତ ସାମାନ୍ୟ କଟିଯାଇଥିଲା। ଏହାପରେ  ତାଙ୍କୁ ଉସମାନିଆ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ଷତ ଛୋଟ ଥିଲେ ମଧ୍ୟ ଅପରେସନ କରିବା ଲାଗି ଡାକ୍ତର ମାତ୍ରାଧିକ ଆନାସ୍ଥେସିଆ ଦେବା ସହ ୧୦ ଘଣ୍ଟା ସମୟ ନେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅପରେସନ ପରେ ହାର୍ଦ୍ଦିକର ଚେତା ଫେରି ନଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଦ୍ଦିକ ପିତାମାତା ମୃତଦେହକୁ ଭୁବନେଶ୍ୱର  ଆଣିବାକୁ ଉଦ୍ୟମ କରୁଛନ୍ତି।