ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ

ଖୋର୍ଦ୍ଧା: ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ। ନଳବଣ ଏବଂ ମଙ୍ଗଳାଯୋଡି ଅଂଚଳରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଆଜି ଠାବ କରିଛି ଚିଲିକା ବନ୍ୟପ୍ରାଣୀ ବିଭାଗ। ପ୍ରତିକୁଳ ପାଣିପାଗ ଯୋଗୁଁ ଚଳିତବର୍ଷ ପକ୍ଷୀ ମାନଙ୍କ ଆସିବାରେ ସାମାନ୍ୟ ବିଳମ୍ୱ ହୋଇଛି। ତେବେ ଏମାନଙ୍କ ଆଗମନ ଆରମ୍ଭ ହୋଇଯାଇଥିବା ଚିଲିକା ବନ୍ୟପ୍ରାଣୀ ବିଭାଗ କହିଛି। ଜଳବାୟୁରେ ସାମାନ୍ୟ ଉଷ୍ମତା ରହିଥିବାରୁ ଏମାନଙ୍କର ଆସିବାରେ ବିଳମ୍ୱ ହୋଇଥାଇପାରେ ବୋଲି ବିଭାଗ କହିଛି। ତେବେ ଥଣ୍ଡାପଡିବା ସହିତ ବିଦେଶୀପକ୍ଷୀ ମାନଙ୍କ ସଂଖ୍ୟା ବଢିବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫଓ ସୂଚନା ଦେଇଛନ୍ତି। ପ୍ରତିବର୍ଷ ଚିଲିକାକୁ ୧୨୦ରୁ ୧୨୫ ପ୍ରଜାତିର ବିଦେଶୀ ପକ୍ଷୀ ଆସିଥାନ୍ତି। ଚଳିତବର୍ଷ ଚିଲିକା ବନ୍ୟପ୍ରାଣୀ ବିଭାଗ ଉଇଜିଅନ, ଗଡବେଲ, ପିଣ୍ଟଲ ଏବଂ ସୋବଲର ଭଳି ପକ୍ଷୀଙ୍କୁ ଚିଲିକାରେ ଠାବ କରିଛି।

ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫଓ ବିକାଶ ରଂଜନ ଦାଶ କହିଛନ୍ତି ଯେ ୩ ପ୍ରଜାତିର ପକ୍ଷୀ ବର୍ତ୍ତମାନ ସୁଦ୍ଧା ଚିଲିକା ଆସିଛନ୍ତି। ତେବେ ସେମାନେ ନେଷ୍ଟିଂ କରି ନାହାନ୍ତି। ସେମାନେ କମ୍ ସଂଖ୍ୟାରେ ଆସିଛନ୍ତି। ଏଥର ସେମାନଙ୍କର ଆସିବାରେ ବିଳମ୍ବ ହୋଇଛି। ତେବେ ସେମାନଙ୍କର ଆସିବା ଆରମ୍ଭ ହୋଇଯାଇଛି। ଆଗାମୀ ଦିନଗୁଡ଼ିକରେ ଆହୁରି ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିବେ। ଏଥର ପାଗ ଟିକେ ଖରାପ ରହିଥିବା ବିଦେଶୀ ପକ୍ଷୀମାନଙ୍କର ଚିଲିକା ଆସିବାରେ ବିଳମ୍ବ ଘଟିଛି ବୋଲି ବନ୍ୟପ୍ରାଣୀ ବିଭାଗ ମନେ କରୁଛି। ତେବେ ପ୍ରକୃତ କାରଣ ଜଣାପଡ଼ିନି। ହୋଇପାରେ ଏହି ପକ୍ଷୀମାନେ ଆସୁଥିବା ଫ୍ଲାଇଂୱେରେ କିଛି ସମସ୍ୟା ଉପୁଜିଥିବ।