ଚିଟଫଣ୍ଡ ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ , ସିବିଆଇ ଦେଉନି ଚୂଡାନ୍ତ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଫେରିଲା ଚିଟଫଣ୍ଡ ମାମଲା। ରାଜ୍ୟ ସରକାର ଓ ସିବିଆଇକୁ ଚିଟଫଣ୍ଡ ପ୍ରସଙ୍ଗରେ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କ’ଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର୍ଟ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ.ଆର. ସାହା ଓ ବିଚାରପତି ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରିଥିଲେ। ପିଟିସନରେ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି ଯେ, ମାମଲାକୁ ୯ ବର୍ଷ ବିତିଯାଇଛି। ତେବେ ଏଭିତରେ ଅନେକ ସମ୍ପତ୍ତି ବ୍ୟାଜପ୍ତ ହୋଇଥିଲେ ବି ଜଣେ ହେଲେ ନିବେଶକଙ୍କୁ ଅର୍ଥ ଫେରାଯାଇନି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ। ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ପିଟିସନ୍ ଆକାରରେ ଜନସ୍ୱାର୍ଥ ମାମଲା କରାଯାଇଛି।

ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି। ୪୪ଟି ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ୨୦୧୪ରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ତାର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।