ଚିଟଫଣ୍ଡ ଠକେଇ: ଓଏକେ ମଲ୍ଟିପର୍ପସ କୋ-ଅପରେଟିଭ୍ ଏମଡି ଗିରଫ

ଭୁବନେଶ୍ୱର: ଓଏକେ ମଲ୍ଟିପର୍ପସ କୋ-ଅପରେଟିଭ୍ ନାମକ  ଚିଟଫଣ୍ଡ ସଂସ୍ଥାର ଏମଡି ଓମକାର ସିଂଙ୍କୁ କ୍ରାଇମବ୍ରାଞ୍ଚର ଇଓଡ଼ବ୍ଲୁ ଶାଖା ଗିରଫ କରିଛି। ତାଙ୍କ ବିରୋଧରେ ୧୫ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ଗତକାଲି ଓମକାରଙ୍କୁ କୋଲକାତାର ଅଲିପୁର କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିଥିଲା। ଏହାପରେ ଟ୍ରାନଜିଟ୍ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଆଣିଛି। କମ୍ପାନୀର ଏମଡି ଓମକାର ସିଂ ଓଡ଼ିଶାରେ ୨ଟି ସଂସ୍ଥା ସହ ୭ଟି ବ୍ରାଞ୍ଚ ଖୋଲିଥିଲେ। ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର, କୋରାପୁଟ ଆଦି ଅଞ୍ଚଳରେ ଶାଖା ଖୋଲି ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ ଓମକାର। ପୂର୍ବରୁ ଏହି ସଂସ୍ଥାକୁ ବେଆଇନ୍ ଦର୍ଶାଇ କଳା ତାଲିକାଭୁକ୍ତ କରିଥିଲା ଆରବିଆଇ। ଶେଷରେ ଏହି ସଂସ୍ଥା ବିରୋଧରେ ମାମଲା ରୁଜୁ କରି ଏମଡିଙ୍କୁ ଖୋଜୁଥିଲା ଇଓଡ଼ବ୍ଲୁ। ଶେଷରେ କୋଲକାତାରୁ ଗିରଫ କରି ଓମକାର ସିଂଙ୍କୁ ଭୁବନେଶ୍ୱର ଆଣିଛି କ୍ରାଇମବ୍ରାଞ୍ଚ।