ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ, ୭ରେ ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର: ଦୀର୍ଘଦିନ ହେବ ଆମରଣ ଅନଶନରେ ବସିଥିବା ଚୁକ୍ତିଭିତ୍ତିକ ୩୭୬୦ ହାଇସ୍କୁଲ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ଆସନ୍ତା ୭ ତାରିଖରେ ସଂଶୋଧିତ ବିଜ୍ଞପ୍ତି ଓ ମାର୍ଚ୍ଚ ୪ରେ ନିଯୁକ୍ତି ପତ୍ର ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ମଙ୍ଗଳବାର ସଂନ୍ଧ୍ୟାରେ ସଂଘର ୭ଜଣ ସଦସ୍ୟଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଲୋଚନା କରିଥିଲେ। ଆଲୋଚନା ବେଳେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରୀ ସୁରକ୍ଷିତ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ନିଯୁକ୍ତି ସମ୍ପର୍କିତ ସଂଶୋଧିତ ବିଜ୍ଞପ୍ତି ଆସନ୍ତା ୭ରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏସଂପର୍କରେ ସଂଘର ସଭାପତି ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ଆବେଦନକାରଙ୍କ ବୟସସୀମାକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାର ସମାଧାନ ମଧ୍ୟ ହୋଇଛି। ପୂର୍ବରୁ ବୟସସୀମା ୪୨ବର୍ଷ ଥିବା ବେଳେ ତାକୁ କମାଇ ୩୨ବର୍ଷ ବୟସ ଧାର୍ଯ୍ୟ ହୋଇଥିଲା। ତେବେ ୨୦୧୫ ଜାନୁଆରୀ ୨୮ ପୂର୍ବରୁ ଯେଉଁ ଆଦେନକାରୀ ବିଇଡି ଉତ୍ତୀର୍ଣ୍ଣ ହୋଇ ଆବେଦନ କରିଥିଲେ ସେମାନଙ୍କୁ ମଧ୍ୟ ଶେଷ ସୁଯୋଗ ଦିଆଯିବ। ଆବେଦନରୁ ବଞ୍ଚିତ ଥିବା ପ୍ରାର୍ଥୀ ଆସନ୍ତା ୨୨ତାରିଖରୁ ଅନଲାଇନ‌୍‍ରେ ଆବେଦନ କରିବେ। ଫେବ୍ରୁଆରୀ ୩ରେ, ଆବେଦନ କରିଥିବା ପ୍ରାର୍ଥୀଙ୍କ ମେଧା ତାଲିକା ପ୍ରସ୍ତୁତ କରାଯାଇ ମାର୍ଚ୍ଚ ୪ରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।
ଉଲ୍ଲେଖଯୋଗ୍ୟ, ଗତ ଜୁନ‌୍‍ ୧୧ ଓ ୧୨ ତାରିଖରେ ନିଯୁକ୍ତି ପାଇଥିବା ୩୭୬୦ ଶିକ୍ଷକଙ୍କୁ ରାଜ୍ୟ ସରକାର ଛଟେଇ କରିବା ପରେ ପୁନଃନିଯିକ୍ତି ଦାବିରେ ଶିକ୍ଷକମାନେ ଆମରଣ ଅନଶନ କରିଥିଲେ। ପ୍ରକାଶଥାଉକି, ଗତବର୍ଷ ଅକ୍ଟୋବର ୧୦ତାରିଖରେ ଅସ୍ଥାୟୀ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ମୋଟ ୫୬୩୪ଟି ପଦବୀରୁ ଚଳିତବର୍ଷ ଜୁନ ୧୧ତାରିଖରେ ୩୪୧୧ ଓ ୧୨ତାରିଖରେ ୨୫୯ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଏଥିରେ ୨୦୧୪ରେ ପ୍ରଥମଥର ପାଇଁ ଠିକା ଶିକ୍ଷକ ନିଯୁକ୍ତିରେ ସର୍ବାଧିକ ବୟସସୀମା ୪୨ରୁ ୩୨କୁ ଖସାଇ ଦିଆଯାଇଥିଲା। ଏହାସହ ଆବେଦନ ପାଇଁ ସ୍ନାତକରେ ସର୍ବନିମ୍ନ ୫୦ପ୍ରତିଶତ ମାର୍କ ରହିଥିବା ବାଧ୍ୟତାମୂଳକ ବୋଲି ଦର୍ଶାଯାଇଥିଲା। ୨୦୧୪ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପାଇଁ ମଧ୍ୟ ଏହି ସର୍ତ୍ତାବଳୀ ଲାଗୁ ହୋଇଥିଲା। ତେବେ ଏହି ନୂଆ ନିୟମ ଉଚ୍ଛେଦ ପାଇଁ ସ୍ୟାଟ‌୍‍ରେ ଏକାଧିକ ମାମଲା ଦାୟର ହୋଇଥିଲା। ବିନା ଅନୁମତିରେ ମେଧା ତାଲିକା ପ୍ରକାଶ ନ କରିବାକୁ ଟ୍ରିବ୍ୟୁନାଲ ୨୦୧୪ ନଭେମ୍ୱର ୧୭ତାରିଖରେ ନିଦ୍ଦେର୍ଶ ଦେଇଥିଲେ। ମାତ୍ର ନିର୍ଦ୍ଦେଶ ଅବମାନନା କରି ସରକାର ୩୬୭୦ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଜୁନ‌୍‍ ୧୧ରେ ସରକାରଙ୍କ ଏହି ନିଯୁକ୍ତି ବିରୋଧରେ ଆବେଦନକାରୀମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ସକରାର ତରବରିଆ ଭାବେ ନଭେମ୍ୱର ୨୧ରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଛଟେଇ କରିଥିଲେ। ଦୁଇ ସପ୍ତାହ ଖୋଲା ମଞ୍ଚରେ ବସିଥିବା ଶିକ୍ଷକଙ୍କୁ ଗତ ବୁଧବାର ବିଭାଗୀୟ ମନ୍ତ୍ରୀ ଭେଟି ଆଲୋଚନା କରି ଜାନୁଆରି ୧୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଆଜି ପୁନର୍ବାର ଆଲୋଚନା କରାଯାଇ ଉପରୋକ୍ତ ପ୍ରତିଶ୍ରୁତି ଦିଆଯାଇଛି।